ଓଡ଼ିଶାଲାଇଭ୍ ବ୍ୟୁରୋ
- ୮,୪୮୫ଟି ପ୍ରକଳ୍ପ, ୪୫ ହଜାରରୁ ଅଧିକ ଚାଷୀ ଉପକୃତ
- ବିଭିନ୍ନ ନଦୀ, ନାଳ ଭଳି ପ୍ରାକୃତିକ ଜଳ ଉତ୍ସର ବ୍ୟବହାର
- ଧାନ ସହିତ ବିଭିନ୍ନ ପ୍ରକାର ଆୟକାରୀ ଫସଲ କରୁଛନ୍ତି ଚାଷୀ
‘‘ଆଗରୁ ପାଣି ଅସୁବିଧା ଯୋଗୁଁ ଭଲ ଚାଷବାସ ହେଉ ନଥିଲା। ଏପରିକି ଧାନ ଚାଷ କରିବାକୁ ମୋର ସାହସ ହେଉ ନଥିଲା। କିନ୍ତୁ, ଇଚ୍ଛା ନଦୀରେ ଉଠାଜଳସେଚନ ପ୍ରକଳ୍ପ ହେବା ଫଳରେ ମୁଁ ଏବେ ଧାନ ସହିତ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିପାରୁଛି। ଏଥିରୁ ଭଲ ଦି’ ପଇସା ରୋଜଗାର ମଧ୍ୟ ହେଉଛି’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ସାଲେଟିକ୍ରା ଗାଁର ଚାଷୀ ନରସିଂହ ନାଏକ।
ନରସିଂହଙ୍କର ୨ ଏକରରୁ ଅଧିକ ଚାଷଜମି ରହିଛି। ସେଥିରେ ସେ ଏବେ ଧାନ ସହିତ ପୋଟଳ, ବାଇଗଣ, କଲରା, ଅମୃତଭଣ୍ଡା ଆଦି ପନିପରିବା ଲଗାଇଛନ୍ତି। ଘରେ ଖାଇବା ସହ ବଜାରରେ ବିକ୍ରି କରି ନରସିଂହ ଭଲ ଦି’ପଇସା ରୋଜଗାର କରୁଛନ୍ତି। ଏହି ଚାଷବାସ କାମରେ ନରସିଂହଙ୍କୁ ତାଙ୍କ ସ୍ତ୍ରୀ ମୀନା ନାଏକ ସହଯୋଗ କରୁଛନ୍ତି।
ଚାଷଜମିକୁ ଜଳସେଚନର ସୁବିଧା ହେବାରୁ ନରସିଂହ ୭୦ ଡେସିମିଲ ଜମିରେ କଦଳୀ ଚାଷ ମଧ୍ୟ କରିଛନ୍ତି। ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ କରିଥିବା କଦଳୀ ଚାଷରୁ ସେ ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରିଛନ୍ତି। ଏହି ଟଙ୍କାରେ ନରସିଂହ ତାଙ୍କ ଘର ଚଳାଇବା ସହ ଦୁଇ ଝିଅଙ୍କୁ କଲେଜରେ ପାଠ ପଢ଼ାଉଛନ୍ତି।
ନରସିଂହ ନାଏକଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ଚାଷୀଙ୍କ ମୁହଁରେ ଉଠାଜଳସେଚନ ପ୍ରକଳ୍ପ ହସ ଫୁଟାଇପାରିଛି। ପାଣି ଅଭାବରୁ ଯେଉଁ ଜମି ଆଗରୁ ପଡ଼ିଆ ପଡୁଥିଲା ସେଠାରେ ଆଜି ସବୁଜିମା ଭରି ଯାଇଛି। ଚାଷୀମାନେ ଧାନ ସହିତ ବିରି, ମୁଗ ଓ ବିଭିନ୍ନ ପ୍ରକାରର ପନିପରିବା ଭଳି ଆୟକାରୀ ଫସଲ କରି ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି।
ବଣପାହାଡ଼ ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ଦେଇ ବହି ଯାଇଛି ବ୍ରାହ୍ମଣୀ, କୋଏଲ, ଶଙ୍ଖ ଏବଂ ଇଚ୍ଛା ନଦୀ। ତା’ଛଡ଼ା ଖଣ୍ଡାଧାର, ଜରଦା, ଖରାପାଣି, ଲାଉଡ଼ା ଆଦି ନାଳ ମଧ୍ୟ ରହିଛି। ଏହି ନଦୀ ଏବଂ ନାଳର ପାଣିକୁ ଚାଷ କାମରେ ବ୍ୟବହାର କରିବା ଲାଗି ପ୍ରଶାସନ ପକ୍ଷରୁ ଛୋଟ ବଡ଼ ୮ ହଜାର ୪୮୫ଟି ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଷ କ୍ଷେତ୍ରରେ ବିଶେଷ ଉନ୍ନତି ଆସିପାରିଛି ବୋଲି କହିଛନ୍ତି ଓଡ଼ିଶା ଉଠାଜଳସେଚନ ନିଗମ ସୁନ୍ଦରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରୀଶ ଚନ୍ଦ୍ର ବେହେରା।
ଜିଲ୍ଲାରେ ଥିବା ମୋଟ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୨୯୩ଟି ଗୋଷ୍ଠୀ ପ୍ରକଳ୍ପ ବିଭିନ୍ନ ନଦୀ ଓ ନାଳର ଜଳଧାର ଉପରେ ରହିଛି। ଏହାଛଡ଼ା ବିଭିନ୍ନ ନଦୀରେ ୫୧ଟି ଅତି କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ ହଜାର ୧୪୧ଟି ଗଭୀର ନଳକୂଅ ଖୋଳାଯାଇ ସ୍ଥାନୀୟ ଚାଷୀମାନଙ୍କ ଜମିକୁ ପାଣି ଯୋଗାଇ ଦିଆଯାଉଛି।
ଏହିସବୁ ପ୍ରକଳ୍ପ ଯୋଗୁଁ ଜିଲ୍ଲାର ମୋଟ ୬୬ ହଜାର ୭୨୪ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ମିଳିପାରୁଛି। ଏହାଦ୍ଵାରା ୪୫ ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଆରଆଇଡିଏଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
ଜଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ପଞ୍ଚାୟତ ଗଠନ କରାଯାଇଛି। ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ହେବା ପରେ ତାହାକୁ ସ୍ଥାନୀୟ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୧୨୯୩ଟି ପାଣି ପଞ୍ଚାୟତ ଗଠନ କରାଯାଇଛି। ଚାଷୀମାନେ ଏକାଠି ହୋଇ ନିଜ ନିଜ ଅଞ୍ଚଳରେ ଏହି ଜଳ ପରିଚାଳନା କଥା ବୁଝୁଛନ୍ତି।
ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା ଲେଫ୍ରିପଡ଼ା ବ୍ଲକର ଆଉ ଜଣେ ହିତାଧିକାରୀ ମହେନ୍ଦ୍ର ଶଙ୍କରିଆ କହନ୍ତି, ‘‘୭ ବର୍ଷ ତଳେ ପଡ଼ିଆ ଜମିରେ ମୁଁ ଆମ୍ବ ଗଛ ଲଗାଇଥିଲି। ଜଳସେଚନର ସୁବିଧା ନଥିବାରୁ ମୁଁ ଆଉ କିଛି ଚାଷ କରିପାରୁ ନଥିଲି। ଉଠାଜଳସେଚନ ପ୍ରକଳ୍ପ ହେବା ଯୋଗୁଁ ମୁଁ ଏବେ ବିଭିନ୍ନ ଚାଷ କରି ଲାଭବାନ ହୋଇପାରୁଛି।’’
‘‘ଜଳସେଚନ ସୁବିଧା ହେବାରୁ ମୁଁ ମୋ ଜମିରେ ବାଇଗଣ, ଲଙ୍କା ଆଦି ଚାଷ କରୁଛି। ଏହି ଚାଷରୁ ବର୍ତ୍ତମାନ ସୁଦ୍ଧା ମୁଁ ୨୦ରୁ ୩୦ ହଜାର ଟଙ୍କା ପାଇଛି। ମୁଁ କଦଳୀ ଚାଷ ମଧ୍ୟ କରିଛି। ଆଗକୁ କଦଳୀ ବିକ୍ରି କରି ଭଲ ରୋଜଗାର କରିବି ବୋଲି ଆଶା ରହିଛି’’, କହନ୍ତି ଜିଲ୍ଲାର ଆଉ ଜଣେ ଚାଷୀ ପ୍ରଫୁଲ୍ଲ ରାଖା।
ଜମିକୁ ଜଳ, ଚାଷୀଙ୍କୁ ବଳ। ତେଣୁ ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ସହିତ ଆୟ ଦୁଇ ଗୁଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ, ନାଳ ଭଳି ସ୍ଥାନୀୟ ଜଳ ଉତ୍ସକୁ ବ୍ୟବହାର କରି ଚାଷଜମିକୁ ଜଳସେଚନ ଉପରେ ପ୍ରାଥମିକତା ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଫଳରେ ଚାଷୀ ପରିବାର ଏହାର ବିଶେଷ ସୁଫଳ ପାଇପାରୁଛନ୍ତି।
Tags: #LiftIrrigation #LiftIrrigationProjects #Income #Farmers #Sundargarh