ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମହାମାରୀର ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ଆୟୋଜନ କରାଯାଇଛି ଶାରଦୀୟ ଦୁର୍ଗାପୂଜା। ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ। ଭୁବନେଶ୍ଵରରେ ବିଭିନ୍ନ ମଣ୍ଡପକୁ ଆକର୍ଷଣୀୟ ରୂପ ଦିଆଯାଇଥିବାବେଳେ ଏଥରର ଆକର୍ଷଣ ପାଲଟିଥିଲା ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ। ଏଠାରେ ନିର୍ମିତ ‘ଅକ୍ଷରଧାମ’ ମଡେଲ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି।
ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ମେଢ଼ରେ ପୂଜା ପାଇଥିଲେ ମହାମାୟା ଦୁର୍ଗା। ଭୁବନେଶ୍ଵର ରସୁଲଗଡ଼ ଦୁର୍ଗାପୂଜା କମିଟି ପକ୍ଷରୁ ମା’ଙ୍କ ପୂଜାସ୍ଥଳକୁ ଆକର୍ଷଣୀୟ କରିବା ପାଇଁ ଦିଲ୍ଲୀର ‘ଅକ୍ଷରଧାମ’ ମନ୍ଦିରର ଅବିକଳ ନକଲ ନିର୍ମାଣ କରାଯାଇଥିଲା।
“୩୦ରୁ ୪୦ଲକ୍ଷ ଟଙ୍କା ବ୍ୟୟ ହୋଇଛି ‘ଅକ୍ଷରାଧାମ’ ନିର୍ମାଣ ପାଇଁ। ଏହାର ଉଚ୍ଚତା ୬୫ ଫୁଟ୍ ଥିବାବେଳେ ଓସାର ରହିଥିଲା ପ୍ରାୟ ୧୨୦ ଫୁଟ୍। ନିଖୁଣ ଢ଼ଙ୍ଗରେ ତୋରଣ ପ୍ରସ୍ତୁତ କରିବା ପାଇଁ ଦୁଇମାସ ପୂର୍ବରୁ ନିୟୋଜିତ ହୋଇଥିଲେ ପଶ୍ଚିମବଙ୍ଗର ପ୍ରାୟ ୭୦ ଜଣ ଦକ୍ଷ କାରିଗର। ବାଉଁଶ ପାତ ଓ ଆଇସ୍କ୍ରିମ ଚାମଚ ବ୍ୟବହାର କରି ‘ଅକ୍ଷରଧାମ’କୁ ରୂପ ଦିଆଯାଇ ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି ତୋରଣ ପ୍ରସ୍ତୁତ କରାଯାଇଛି”, କହିଛନ୍ତି ରସୁଲଗଡ଼ ପୂଜା କମିଟିର ସମ୍ପାଦକ ପ୍ରଦୀପ କୁମାର ଜେନା।
ଦୁଇ ବର୍ଷ ହେଲା କୋଭିଡ ପାଇଁ ଦୁର୍ଗାପୂଜାରୁ ବଞ୍ଚିତ ହୋଇ ରହିଥିଲୁ। ଏ ବର୍ଷ ଧୁମଧାମରେ ପୂଜା ଆୟୋଜନ କରାଯିବା ସହ ଭକ୍ତଙ୍କୁ ସାମିଲ ହେବା ଲାଗି ସୁଯୋଗ ମିଳିଛି। ବହୁତ ଖୁସି ଲାଗୁଛି। ଦୁଇ ବର୍ଷର ଯେଉଁ ଅବସୋସ ରହିଥିଲା ଏ ବର୍ଷ ପୂଜାର ଆୟୋଜନ ଦେଖି ପୂରଣ ହୋଇଯାଇଛି ବୋଲି କୁହନ୍ତି ଜଣେ ଶ୍ରଦ୍ଧାଳୁ।
ରସୁଲଗଡ଼ରେ ଆୟୋଜିତ ଦୁର୍ଗାପୂଜା ଦେଖିବାକୁ ଭକ୍ତଙ୍କର ନାହିଁନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତ ଏକାଠି ହେଉଥିଲେ ଏହି ମଣ୍ଡପରେ। ମା’ଙ୍କ ଦର୍ଶନ ସାଙ୍ଗକୁ ମୀନା ବଜାର, ଦୋଳି ଏବଂ ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜ୍ଜା ଉଠାଇଥିଲେ ଦର୍ଶକ।
କମିଟି ପକ୍ଷରୁ ମୀନା ବଜାରର ୨୦୦ଟି ଷ୍ଟଲର ଆୟୋଜନ କରାଯିବା ସହ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା। ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରିବେ ସେଥିପାଇଁ ବନ୍ଦୋବସ୍ତ କରାଯାଇଥିଲା। ଏଥିପାଇଁ ନିୟୋଜିତ ହୋଇଥିଲେ ପୂଜା କମିଟିର ୫୦ ଜଣ ଭଲ୍ୟୁଣ୍ଟିଅର, ୫୦ ଜଣ ପୋଲିସ୍ ମିତ୍ର ଏବଂ ୫୦ ଜଣ ସିକ୍ୟୁରିଟି ଗାର୍ଡ। ଏହା ସହ ଚାରିଆଡ଼େ ସିସିଟିଭି କ୍ୟାମେରାର ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଛନ୍ତି ଦୁର୍ଗାପୂଜା କମିଟି ସମ୍ପାଦକ ପ୍ରଦୀପ କୁମାର ଜେନା।
୧୧୯୨ ମସିହାରୁ ଆରମ୍ଭ ହୋଇଥିବା ରସୁଲଗଡ଼ ଦୁର୍ଗାପୂଜା ଚଳିତ ବର୍ଷ ୩୦ ବର୍ଷରେ ପଦାର୍ପଣ କରିଛି। ୨ ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ଆୟୋଜନ ଫିକା ପଡ଼ିଥିବାବେଳେ ଚଳିତ ବର୍ଷ ଧୁମଧାମରେ ପୂଜାର ଆୟୋଜନ କରାଯାଇଛି। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଯଥା ରୀତିନୀତିରେ ମା’ଙ୍କର ସମସ୍ତ ପୂଜା ବିଧି ଅନୁଷ୍ଠିତ ହୋଇଥିବା କହିଛନ୍ତି ପୂଜକ ରାଜେନ୍ଦ୍ର ପ୍ରସାଦ ରଥ।
ଏହା ପୂର୍ବରୁ ୨୦୧୯ ମସିହାରେ ବରମୁଣ୍ଡା ଦୁର୍ଗା ମଣ୍ଡପରେ ମଧ୍ୟ ‘ଅକ୍ଷରଧାମ’ ତୋରଣ ଦେଖିବାକୁ ମିଳିଥିଲା। ଏହା କେବଳ ଧଳାରଙ୍ଗର କପଡ଼ାରେ ପ୍ରସ୍ତୁତ କରାଯାଇଥିବାବେଳେ ରସୁଲଗଡ଼ରେ ନିର୍ମିତ ‘ଅକ୍ଷରଧାମ’ ବାଉଁଶ ପାତ ଏବଂ ଆଇସ୍କ୍ରିମ ଷ୍ଟିକରେ ନିଆରା ଆକର୍ଷଣ ସାଉଣ୍ଟିଛି।
Tags: #DurgaPuja #Festival #DurgaPujainBhubaneswar #PujaMandap #AkshardhamModel