ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତତ ଘଟିଲା। ଶେଷରେ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଲଢ଼ିବେ ଧାମନଗର ନିର୍ବାଚନ ଲଢ଼େଇ। ଏହି ଆସନ ଲାଗି ବିଜେଡିର ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଶେଷରେ ମହିଳା କାର୍ଡ ଖେଳି ସପ୍ରାଇ ଦେଇଛି ଦଳ। ପ୍ରାର୍ଥୀ ଚୟନ ଲାଗି ଆଜି ଦିନ ତମାମ ବିଜେଡି ଶିବିରରେ ବିଚାର ବିମର୍ଶ ପରେ ଅବନ୍ତୀଙ୍କ ନାଁ ଘୋଷଣା କରାଯାଇଛି।
ଏହି ନିର୍ବାଚନ ଲାଗି ସର୍ବପ୍ରଥମେ ପ୍ରାର୍ଥୀ ଦେଇଥିଲା ବିଜେପି। ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଆଜି ବାବା ହରେକୃଷ୍ଣ ସେଠୀଙ୍କ ନାଁ ଘୋଷଣା କରିଥିଲା।
ଏବେ ରାଜ୍ୟର ତିନି ଦଳ ନିଜ ନିଜର ପ୍ରାର୍ଥୀ ଦେବା ପରେ ପ୍ରଚାର କାର୍ଯ୍ୟକୁ ଜୋର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ମଙ୍ଗଳବାର ଦିନ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇ ଘରକୁ ଘର ଯାଇ ସମର୍ଥନ ଜୁଟାଯାଉଛନ୍ତି। ଏକ୍ଷେତ୍ରରେ ପଛରେ ରହିନାହିଁ ବିଜେଡି ଏବଂ କଂଗ୍ରେସ।
ଗତ ସେପ୍ଟେମ୍ବର ୧୯ ତାରିଖରେ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ବିୟୋଗ ଘଟିଲା। ଏହି ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି।
ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗତ ୭ ତାରିଖ ଦିନ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି।
ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ଘୋଷଣା କରାଯିବ।
Tags: #Politics #OdishaPolitics #Election #ByElection #DhamnagarByElection #BJD #BJP #Congress