ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ସିନେମା ଏବଂ ଯାତ୍ରା ଅଭିନେତ୍ରୀ ଉଷଶୀ ମିଶ୍ର ନିଜ ଅଭିନୟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି।
ଓଲିଉଡରେ ଭର୍ସାଟାଇଲ ଅଭିନେତ୍ରୀଙ୍କ କଥା କହିଲେ ଉଷଶୀ ମିଶ୍ର ହେଉଛନ୍ତି ସେଥିମଧ୍ୟରୁ ଜଣେ। କେବେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ହୋଇ ତ କେବେ ଖଳନାୟିକା ହୋଇ ସେ ଦର୍ଶକଙ୍କ ମନ ଜିତିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଯଶୋଦାରୁ ସେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ୧୯୯୬ ମସିହାରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ବୋଉ’ ଚଳଚ୍ଚିତ୍ର ତାଙ୍କୁ ଦେଇଥିଲା ସଫଳତା। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଉଷଶୀ ଓଡ଼ିଶାର ମଡେଲିଂ ଜଗତର ଏକ ଜଣାଶୁଣା ଚେହେରା ଥିଲେ।
୧୯୮୦ ମସିହା ଅଗଷ୍ଟ ୬ ତାରିଖରେ କୋଲକାତାର ମୁର୍ଶିଦାବାଦରେ ଉଷଶୀଙ୍କ ଜନ୍ମ। ୨୦୦୦ ମସିହାରେ ରମାଦେବୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରୁ ସ୍ନାତନ ପାସ କରି ଫ୍ୟାସନ ଡିଜାଇନିଂରେ ଡିଗ୍ରୀ ହାସଲ କରିଛନ୍ତି ଉଷଶୀ। ପିଲାବେଳୁ ସେ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ତାଙ୍କ ସ୍ଵପ୍ନ ପୂରଣ କରିପାରିନଥିଲେ। ପାଠପଢ଼ାରେ ଭଲ ଥିବା ଉଷଶୀ ଯେ କେବେ ସିନେମାରେ ଅଭିନୟ କରିବେ ଏ କଥା ସେ ନିଜେ ବି ଜାଣିଥିଲେ।
“ମୁଁ ଓଡ଼ିଆ ସିନେମାରେ ହିରୋଇନ ହେବା ପାଇଁ କେବେ ଚାହିଁ ନଥିଲି। ପ୍ରଥମ ଚଳଚ୍ଚିତ୍ର ପରେ ଆଉ ସିନେମାରେ କାମ କରିବିନି ବୋଲି ଭାବିଥିଲି… କିନ୍ତୁ ପ୍ରଥମ ସିନେମା କରୁ କରୁ ମତେ ଆଉ ଏକ ଫିଲ୍ମର ଅଫର ଆସିଥିଲା ଏବଂ ଦୁଇଟି ଯାକ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଥିଲା… ଏମିତି ଆରମ୍ଭ ହୋଇଥିଲା ଅଭିନୟରେ ମୋ ଯାତ୍ରା”, କହନ୍ତି ଉଷଶୀ ମିଶ୍ର।
ଉଷଶୀଙ୍କ ଅଭିନୀତ କିଛି ଚଳଚ୍ଚିତ୍ର ମଧ୍ୟରେ ରହିଛି ଯଶୋଦା, ମାଆ ପରି କିଏ ହେବ, ରହିଛି ରହିବି ତୋରି ପାଇଁ, ଏଇଠି ସ୍ଵର୍ଗ ଏଇଠି ନର୍କ, ବାହୁଡ଼ିବେ ମୋ ଜଗା ବଳିଆ, ଧର୍ମର ହେବ ଜୟ, ଦେ ମାଆ ଶକ୍ତି ଦେ, ଫେରିଆ ମୋ ସୁନା ଭଉଣୀ ଇତ୍ୟାଦି। ଏଥି ମଧ୍ୟରୁ ‘ତୁ ଥା ମୁଁ ଜାଉଛି ରୁଷି’ ଚଳଚ୍ଚିତ୍ର ପାଇଁ ଉଷଶୀଙ୍କୁ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ବହୁ ବର୍ଷ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ସେ ଓଡ଼ିଆ ଧାରାବାହିକ ଏବଂ ଯାତ୍ରା ଜଗତରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି।
Tags: #Entertainment #OllywoodFilmIndustry #OdiaCinema #Jatra #UsasiMishra