ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା ଶେଷରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହାଙ୍କ ନାଁ ଘୋଷଣା କରିଛନ୍ତି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହାଙ୍କୁ ସୋମବାର ଦିନ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି। ପଦ୍ମପୁର ମାଟିରେ ନିର୍ବାଚନ ଲଢ଼ିବେ ବର୍ଷା। ପଦ୍ମପୁର ଆସନ ଲାଗି ପୂର୍ବରୁ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ଏବଂ ପୁତୁରା ବୋହୂଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ଏହା ଛଡ଼ା ଏହି ଆସନ ଲାଗି ଆନେକ ଆଶାୟୀ ମଧ୍ୟ ଥିଲେ। ବରିହା ପରିବାର ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବା ପାଇଁ ଦାବି ମଧ୍ୟ ହୋଇଥିଲା। ଶେଷରେ ବର୍ଷାରାଣୀଙ୍କ ନାଁରେ ମୋହର ମାରିଛି ବିଜେଡି।

ଧାମନଗର ଉପନିର୍ବାଚନ ପରାଜୟ ପରେ ଦଳକୁ ଏଥର ପ୍ରାର୍ଥୀ ଚୟନ ଲାଗି ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବର୍ଷାରାଣୀଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା ଭୋଟ ପାଇବାକୁ ଆଶା ବାନ୍ଧିଥିବା କହୁଯାଉଛି।

ଏହା ପୂର୍ବରୁ ବିଜେପି ଏବଂ କଂଗ୍ରେସ ପଦ୍ମପୁର ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେଡି ଗତ ୧୧ ତାରିଖରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୧୨ ତାରିଖରେ ସତ୍ୟଭୂଷଣ ସାହୁଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ।

Tags: #Politics #OdishaPolitics #PadampurByelection #BJDCandidate #BarshaRaniSinghBariha

LEAVE A REPLY

Please enter your comment!
Please enter your name here