ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ଏହି ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପଦ୍ମପୁର ଉପନିର୍ବାଚନ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣ ନିର୍ବାଚନ ଭଳି ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ।

ପଦ୍ମପୁର ଉପନିର୍ବାଚ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ନଭେମ୍ବର ୧୭ ତାରିଖ। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୫୭,୪୭୪ ଜଣ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୧,୨୯,୪୯୭ ଜଣ ପୁରୁଷ ଭୋଟର ରହିଥିବାବେଳେ ୧,୨୭,୯୬୫ ମହିଳା ଭୋଟର ଏବଂ ୧୨ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ସେହିପରି ୨,୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ଵ ଭୋଟରଙ୍କ ସଂଖ୍ୟା ରହିଛି ୪,୩୯୩। ଏହି ନିର୍ବାଚନ ମଣ୍ଡଳୀରେ ୧୯୯ ଜଣ ଚାକିରିଆ ଭୋଟର ରହିଛନ୍ତି।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ୨୭୯ଟି ବୁଥରେ ମତଦାନ ହେବ। ଗୋଟିଏ ବୁଥରେ ସର୍ବାଧିକ ୧,୫୦୦ ଜଣ ମତଦାନ କରିବେ। ଏହି ଉପନିର୍ବାଚନରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ୪୦ ଜଣ ତାରକା ପ୍ରଚାରକଙ୍କୁ ପ୍ରଚାର ଏବଂ ଅଣସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ୨୦ ଜଣ ତାରକା ପ୍ରଚାରକଙ୍କୁ ନେଇ ପ୍ରଚାର କାର୍ଯ୍ୟ କରିବାକୁ ଅନୁମତି ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏବଂ ଏହାର ହିସାବ ଫଳାଫଳ ଘୋଷଣା ହେବାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଏହା ସହିତ ଅପରାଧିକ ପୃଷ୍ଟମୂଭି ଥିବା ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମରେ ୩ ଥର ଖବରକାଗଜ ଏବଂ ଟେଲିଭିଜନ ମାଧ୍ୟମରେ ପ୍ରଚାର କରିବେ। ସେହିପରି ସମ୍ପୃକ୍ତ ରାଜନୈତିକ ଦଳ ୩ ଥର ଖବରକାଗଜ ଓ ଟେଲିଭିଜନ ଜରିଆରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଟଭୂମି ସମ୍ପର୍କରେ ପ୍ରଚାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ୫୦ ପ୍ରତିଶତ ବୁଥରେ ଓ୍ଵେବକାଷ୍ଟିଂ କରାଯିବା ସହ ଉତ୍ତେଜନା ପ୍ରବଣ ବୁଥଗୁଡ଼ିକରେ ୩୫ ଜଣ ଅଣୁ-ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଦ୍ଵାରା ୫ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

Tags: #Politics #OdishaPolitics #PadampurPolitics #PadampurByElection #Voting

Comment