ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଦ୍ମପୁର ରାଜନୀତିରେ ହଟଚମଟ। ବିଜେଡି ଟିକେଟରେ ଲଢ଼ୁଛନ୍ତି ବିଜେପି ନେତାଙ୍କ ବୋହୂ।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଘରେ ବିଜେଡିର ନାଟ ଚାଲିଥିବା ଦେଖିବାକୁ ମିଳିଛି। ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିବା ପରେ ଏଭଳି ଚର୍ଚ୍ଚା ରାଜନୀତି ପାଣିପାଗକୁ ଅଧିକ ସରଗରମ କରିଦେଇଛି। ବିଜେପି ନେତାଙ୍କ ବୋହୂ ବର୍ଷା ପଦ୍ମପୁରରେ ବିଜେଡି ପ୍ରାର୍ଥୀ ହୋଇଥିବାରୁ ପଦ୍ମପୁର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁରେ ବିଜେପିର ଶୀର୍ଷ ନେତୃବୃନ୍ଦ ମୋହର ମାରିଥିଲେ। ଏହାପରେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ନାଁ ଘୋଷଣା କରିଥିଲା। ଶେଷରେ ବିଜେଡି ବର୍ଷାଙ୍କ ନାଁ ଘୋଷଣା କରି ରାଜନୀତିର ସେୟାର ବଜାରରେ ହଟଚମଟ ସୃଷ୍ଟି କରିଛି।

ବିଜେଡି ଟିକେଟ ପାଇଁ ଅନେକ ଲୋକ ଆଶାୟୀ ଥିଲେ। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା ଏବଂ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ଟିକେଟ ଦୌଡ଼ରେ ରହିଥିଲେ। ଶେଷରେ ବିଜୟଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କ ନାଁରେ ବିଜେଡି ସୁପ୍ରିମୋ ଷ୍ଟାମ୍ପ ମାରିଥିଲେ। ବର୍ଷା ଏବେ ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

କାହିଁକି ବର୍ଷା ହେଲେ ବିଜେଡି ପ୍ରାର୍ଥୀ?

ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେଡି ବିଜୟରେ ବ୍ରେକ ଲାଗିଥିଲା। ବିଜେପି ପ୍ରାର୍ଥୀ ଜିତିବା ପରେ ବିଜେଡି ଶିବିରକୁ ଶକ୍ତ ଆଘାତ ଲାଗିଥିବା କୁହାଯାଉଛି। ତେଣୁ ପଦ୍ମପୁରରେ ଯେମିତି ଧାମନଗର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ବିଜେଡି ଅତି ସତର୍କତାର ସହ ବର୍ଷାଙ୍କ ନାଁ ଘୋଷଣା କରିଥିବା ଚର୍ଚ୍ଚା ହେଉଛି।

ପ୍ରଥମ କଥା ହେଉଛି ବର୍ଷା ହେଉଛନ୍ତି ଜଣେ ମହିଳା। ବିଜେଡି ଏବେ ବିଭିନ୍ନ ଉପନିର୍ବାଚନରେ ମହିଳା କାର୍ଡ ଖେଳୁଛି। ବ୍ରଜରାଜନଗର ଉପନିର୍ବାଚନ ବେଳେ ବିଜେଡି ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଧାମନଗରରେ ମଧ୍ୟ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଲଢ଼ିଥିଲା। ତେଣୁ ପଦ୍ମପୁରରେ ମହିଳା କାର୍ଡ ସଫଳ ହୋଇପାରେ ବୋଲି ବିଜେଡିର ରଣନୀତିକାରମାନେ ଗଣିତ କଷିଛନ୍ତି।

ଦ୍ୱିତୀୟ କଥା ହେଉଛି ବର୍ଷା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ। ଏଠାରେ ଅନୁକମ୍ପା ଭୋଟ ମିଳିବାର ମଧ୍ୟ କଥା ଉଠୁଛି। ୨୦୧୯ରୁ ୨୦୨୨ ଭିତରେ ଯେଉଁଠି ଉପନିର୍ବାଚନ ହୋଇଛି ସେଠି ବିଜେଡି ପ୍ରାୟତଃ ଅନୁକମ୍ପା ଭୋଟ ଲାଗି ଉଦ୍ୟମ କରିଛି। ତେଣୁ ପଦ୍ମପୁରରେ ମଧ୍ୟ ଏହି ଫର୍ମୁଲା ପ୍ରୟୋଗ କରାଯାଇଥିବା ଚର୍ଚ୍ଚା ହେଉଛି।

ସବୁଠୁ ବଡ଼ କଥା ହେଉଛି ବର୍ଷା ବର୍ତ୍ତମାନ ବିଜେପି ନେତାଙ୍କ ପରିବାରର ବୋହୂ। ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କ ପୁଅଙ୍କୁ ବର୍ଷା ବିବାହ କରିଛନ୍ତି। ରମାରଞ୍ଜନ ଏବେ ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ନେତା। ବିଜେପି ନେତାଙ୍କ ପରିବାରର ବୋହୂଙ୍କୁ ପଦ୍ମପୁରରେ ଟିକେଟ ଦେବା ପଛରେ ବଡ଼ ରାଜନୀତିକ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ପଦ୍ମପୁରରେ ବିଜେପିର ଭଲ ସଙ୍ଗଠନ ରହିଛି। ୨୦୧୪ ନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ। ୨୦୧୯ରେ ବିଜୟ ପୁଣି ପ୍ରଦୀପଙ୍କୁ ପରାଜିତ କରିଥିଲେ। ଗତ କିଛି ମାସ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିଲା। ପଦ୍ମପୁର ନିର୍ବାଚନମଣ୍ଡଳୀ ଭିତରେ ରହିଥିବା ୮ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ଖାତାକୁ ୪ଟି ଆସିଥିଲା। ତେଣୁ ବିଜେପିକୁ ଚଳିତ ଉପନିର୍ବାଚନରେ ଝଟକା ଦେବା ଲାଗି ବର୍ଷା ବଡ଼ ସହାୟକ ହେବେ ବୋଲି ଚର୍ଚ୍ଚା ହେଉଛି।

ରମାରଞ୍ଜନ କାହାର ହେବେ: ଦଳର ନା ବୋହୂର?

ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ଏବେ ରମାରଞ୍ଜନ ବଳିୟାରସିଂଙ୍କ ଉପରେ ରହିଛି। ପଦ୍ମପୁର ଉପନିର୍ବାଚନରେ ରମା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନା ନୀରବ ରହିବେ ତାହା ହିଁ ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ରମାରଞ୍ଜନ ପୂର୍ବରୁ ବିଜେଡିରେ ଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।

ପଦ୍ମପୁର ଉପନିର୍ବାଚନର ଫଳାଫଳ କ’ଣ ହେବ ତାହା ତ ଭିନ୍ନ କଥା। କିନ୍ତୁ ଏହି ଆସନରେ ଲଢ଼େଇ ପୂରା ଜୋରଦାର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

Tags: #Politics #OdishaPoliltics #PadampurByElection #BJD #BJP #BarshaRaniSinghBariha #RamaranjanBaliarsingh

Comment