ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ସାମିଲ ହେଲେ ନୂଆପଡ଼ା ଜିଲ୍ଲାର ପୂର୍ବତନ ସହାକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ। ଶତାଧିକ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ମହେନ୍ଦ୍ର ବଢ଼େଇଙ୍କ ଘର ପଦ୍ମପୁରରେ ହୋଇଥିବାରୁ ଉପନିର୍ବାଚନରେ ଏହା ବିଜେଡିକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି।

ନୂଆପଡ଼ା ଜିଲ୍ଲାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ମହେନ୍ଦ୍ର ବଢ଼େଇ ଗତ କିଛି ଦିନ ପୂର୍ବରୁ ସ୍ଵେଛାକୃତ ଭାବେ ଅବସର ଗ୍ରହଣ କରିଥିଲେ। ପଦ୍ମପୁର ଉପନିର୍ବାଚନ ଲାଗି ସେ ବିଜେଡିର ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ମହେନ୍ଦ୍ର ଘଡ଼େଇଙ୍କ ଘର ପଦ୍ମପୁରରେ ହୋଇଥିବାରୁ ବିଜେଡିରେ ତାଙ୍କ ଯୋଗଦାନ ଆଗାମୀ ଉପନିର୍ବାଚନରେ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବିଜେଡିରେ ସାମିଲ ହେବାକୁ ନେଇ ମହେନ୍ଦ୍ର ବଢ଼େଇ କହିଛନ୍ତି, ପୂର୍ବରୁ ସରକାରୀ ଚାକିରୀରେ ରହି ଲୋକଙ୍କ ସେବା କରୁଥିଲି ଏବେ ବିଜେଡି କର୍ମୀ ଭାବେ ଲୋକଙ୍କ ସେବା କରିବାର ସୁଯୋଗ ପାଇବି। ଦଳ ପକ୍ଷରୁ ତାଙ୍କୁ ଯେଉଁ ଦାୟିତ୍ଵ ମିଳିବ ସେ ତାକୁ ସମ୍ପନ୍ନ କରିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ବିପୁଳ ପରିମାଣରେ ବିଜୟୀ ହେବେ।

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ନେଇ ପଦ୍ମପୁରବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଥିଲେ। ବିଜେଡି ପ୍ରତି ପଦ୍ମପୁର ଭୋଟର ଆକୃଷ୍ଟ ହେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଆଜି ମହେନ୍ଦ୍ର ଘଡ଼େଇ ବିଜେଡିରେ ଯୋଗ ଦେବା ପରେ ଏହା ନିଶ୍ଚିତ ଭାବେ ଆଗାମୀ ଉପନିର୍ବାଚନରେ ଦଳ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି।

Tags: #Politics #OdishaPolitics #PadampurPolitics #BJD #MahendraBadhei

Comment