ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ୍ରେ ଏମବିଏ ପଢ଼ିବାକୁ ଗଲି, ସେଇଠି ରୁଚିଙ୍କ ସହ ପ୍ରଥମ ଦେଖା ହୋଇଥିଲା। ଆମ ବ୍ୟାଚ୍ରେ ଥିଲେ ୩୨୦ ଜଣ ପୁଅ ଓ ମାତ୍ର ୩୦ ଜଣ ଝିଅ। ରୁଚିଙ୍କର ଧ୍ୟାନ ମୋ’ ପ୍ରତି ଆଦୌ ନ ଥିଲା। ପାଠ ସରିବା ପରେ ମୁଁ ଯେତେବେଳେ ମେକେନ୍ଜି ସଂସ୍ଥାରେ ଚାକିରି କଲି, ରୁଚି ମଧ୍ୟ ସେଇଠି କାମ କରିବାକୁ ଆସିଲେ। ପୁଣି ଦେଖାହେଲା। ଭଲ ଲାଗିଲା। ଭଲ ଲାଗିବାର ବର୍ଷକ ପରେ ବାହାଘର ହେଲା”, କହିଛନ୍ତି ‘ଅଫ୍ ବିଜନେସ୍’ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର।
“ଅଫ୍ବିଜିନେସ୍’ର ସ୍ୱପ୍ନ ଦୁଇଜଣଙ୍କର ଆଖିରେ ଥିଲା। ମୁଁ ଚିଫ୍ ଏକ୍ଜିକ୍ୟୁଟିଭ୍ ହିସାବରେ ବ୍ୟବସାୟର ସବୁଦିଗକୁ ନଜର ଦିଏ ଏବଂ ରୁଚିଙ୍କର ଆଖି ରହେ ପ୍ରତ୍ୟେକଟି ଆର୍ଥିକ ଦିଗକୁ। ପରସ୍ପର ପ୍ରତି ଉଭୟଙ୍କର ବିଶେଷ ଭାବରେ ପେସାଗତ ସମ୍ମାନ ରହିଛି। ବ୍ୟବସାୟରେ ମତଭେଦ ମଧ୍ୟ ହୁଏ, ଯାହାକି ସ୍ୱାଭାବିକ ଏବଂ ବ୍ୟବସାୟର ବୃହତ୍ତର ହିତ ଦୃଷ୍ଟିରୁ ଭଲ। ଆମେ ସବୁ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥାଉ ଏବଂ ପରସ୍ପରର ମତାମତ ତଥା ଅନ୍ୟମାନଙ୍କର ମତ ନେଇ, ବ୍ୟବସାୟ ଲାଗି ସବୁବେଳେ ନିଷ୍ପତ୍ତି ଗ୍ରହଣ କରିଥାଉ”, କହିଛନ୍ତି ଆଶିଷ ମହାପାତ୍ର।
ଆମ ଦାମ୍ପତ୍ୟ ଜୀବନରେ ସବୁଠାରୁ ବଡ଼ ଆନନ୍ଦ ଆଣିଦିଏ, ଆମ ଝିଅ ଖୁସି। ରୁଚିଙ୍କ ଅପେକ୍ଷା, ସେ ହିଁ ମତେ ସବୁବେଳେ ଆକଟ କରେ। “ଡେରି ଯାଏଁ କାହିଁକି ଶୋଉଛୁ? ଏ ଜାମା ନ ପିନ୍ଧି, ସେ ଜାମା କାହିଁକି ପିନ୍ଧିଲୁ? ଏତେ ସମୟ କମ୍ପ୍ୟୁଟର ଧରି କାମ କାହିଁକି କରୁଛୁ? ନିଜ ଦେହର ଯତ୍ନ କାହିଁକି ନେଉନୁ?” ଏପରି ଅନେକ ତାଗିଦ ସେ ମତେ କରେ।
ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ ଡଲାରରୁ ଅଧିକ।) ଏଥିମଧ୍ୟରୁ ଭାରତରେ ୬୩ଟି ଷ୍ଟାର୍ଟଅପ୍ ସଂସ୍ଥା ‘ୟୁନିକର୍ନ’ ପର୍ଯ୍ୟାୟକୁ ଆସିଛନ୍ତି। ତାହାରି ଭିତରେ ଅନ୍ୟତମ ସଂସ୍ଥା ‘ଅଫ୍ବିଜିନେସ୍’। ଆଶିଷ ମହାପାତ୍ର, ‘ଅଫ୍ବିଜିନେସ୍’ର ପ୍ରତିଷ୍ଠାତା ଭାବରେ ସାରା ଭାରତରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ଵ।
Tags: #AshisMohapatra #OfBusiness #Unicorn #LifeStory #SuccessStory #Odisha


















