ଓଡ଼ିଶାଲାଇଭ୍ ବ୍ୟୁରୋ

“କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ଲଟ ଆବଣ୍ଟନଠାରୁ ଦର ନିର୍ଦ୍ଧାରଣ, ସବୁଥିରେ ଚଞ୍ଚକତା କରାଯାଇଛି”, ବାଲିଯାତ୍ରା ସରୁ ସରୁ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।

ସେ କହିଛନ୍ତି, ଐତିହାସିକ କଟକ ବାଲିଯାତ୍ରା ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ପାଇଁ ଉଦ୍ଦିଷ୍ଟ। କିନ୍ତୁ ବାଲିଯାତ୍ରାରେ ଦୀର୍ଘ ବର୍ଷର ପରମ୍ପରା କ୍ଷୁର୍ଣ୍ଣ ହେବାକୁ ଲାଗିଛି। ନିକଟରେ ବାଲିଯାତ୍ରା ମଞ୍ଚରେ ପରିବେଷଣ କରାଯାଇଥିବା ‘ହେ ନବୀନ ବାବୁ…’ ଗୀତକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ଐତିହ୍ୟ ଏବଂ ପରମ୍ପରାର ମଞ୍ଚରେ ରାଜନୈତିକ ଦଳର ପ୍ରଚାର ପ୍ରସାର କରିବା ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ। ଏଥିପାଇଁ ସେ ପ୍ରଶାସନ ଏବଂ କେତେଜଣ ଅଧିକାରୀଙ୍କୁ ଦାୟୀ କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କଟକ ବାଲିଯାତ୍ରାରେ ହୋଇଥିବା ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ମନଇଚ୍ଛା ଦର ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସମ୍ପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ ହେବା ଦରଦାର। ଏହି ଐତିହାସିକ ବାଲିଯାତ୍ରା ଜିଲ୍ଲା ପ୍ରଶାସନ ନୁହେଁ ବରଂ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ଉଚିତ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ।

କଟକ ବାଲିଯାତ୍ରାକୁ ନେଇ ପ୍ରଭାତ ତ୍ରିପାଠୀଙ୍କର ଏଭଳି ଅଭିଯୋଗ ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି।

Tags: #Politics #OdishaPolitics #CTCBaliJatra #PravatTripathy

Comment