ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି ଥିଲା ସହିଦଙ୍କ ଜନ୍ମମାଟି।
ଚଳିତ ବର୍ଷ ‘ପରବ’ ମହୋତ୍ସବ ୨୫ ବର୍ଷରେ ପଦାର୍ପଣ କରିଛି। ଜିଲ୍ଲା ପ୍ରଶାସନ ‘ପରବ’ର ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ଆୟୋଜନ କରିଛି। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ‘ପରବ’ ଉତ୍ସବ ପାଳନ କରାଯାଇନଥିଲା। ଚଳିତ ବର୍ଷ ଉତ୍ସବକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ।
ଏହି ମହୋତ୍ସବକୁ ସ୍ମରଣୀୟ କରିବାକୁ ଚଳିତ ବର୍ଷ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। କୋରାପୁଟ ମାଟିର ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରୁ ଆରମ୍ଭ କରାଯାଇଛି। ଗ୍ରାମର ମାଉଲି ମା’ ମନ୍ଦିରରେ ପୂଜାର୍ଚ୍ଚନା କରି ‘ପରବ’ ମଶାଲ ଧରି ବିଶାଳ ଶୋଭାଯାତ୍ରାରେ ଉଦଘାଟନ ମଣ୍ଡପରେ ପହଞ୍ଚିଥିଲେ। ଆଦିବାସୀ ବାଜା ତାଳେ ତେଳେ ନାଚଗୀତରେ କମ୍ପିଥିଲା ସହିଦଙ୍କ ଜନ୍ମମାଟି।
‘ପରବ’ ମହୋତ୍ସବର ସଭାପତି କୋରାପୁଟ ଜିଲ୍ଲାପାଳ, କୋରାପୁଟ ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ, ଚିତ୍ରକୋଣ୍ଡା ଜିଲ୍ଲା ପରିଷଦଙ୍କ ସହ ସମସ୍ତ ରାଜନୈତିକ ଦଳର ନେତା, କର୍ମୀ ଓ ହଜାର ହଜାର ଲୋକ ସମାଗମ ହୋଇ ଶୋଭାଯାତ୍ରାରେ ଯାଇ ମୁଖ୍ୟ ମଣ୍ଡପରେ ପହଞ୍ଚିଥିଲେ।
ଗୁରୁବାରଠାରୁ ‘ପରବ’ର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତା ମାସ ଡିସେମ୍ବର ୧୭ ତାରିଖରୁ ୩ ଦିନ ଧରି କୋରାପୁଟରେ ଆୟୋଜିତ ହେବ ମୁଖ୍ୟ ଉତ୍ସବ।
କୋରାପୁଟ ଆଦିବାସୀ କଳା ସଂସ୍କୃତିକୁ ରାଜ୍ୟସ୍ତରରୁ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚେଇବା ‘ପରବ- ୨୦୨୨’ର ମୂଳ ଲକ୍ଷ୍ୟ। ‘ପରବ’ର ରୌପ୍ୟ ଜୟନ୍ତୀରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଲୋପ ପାଇବାକୁ ବସିଥିବା ବିଭିନ୍ନ ସମ୍ପ୍ରଦାୟଙ୍କ ନାଚଗୀତର ପ୍ରଚାର ପ୍ରସାର କରାଯିବ। ଚଳିତ ବର୍ଷ ‘ପରବ’ ମହୋତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହାଯୋଗ କାମନା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।
“ଚଳିତ ‘ପରବ’ ମହୋତ୍ସବରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ଵ କପର ପ୍ରଚାର ପ୍ରସାର କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। ଏହା ଦ୍ଵାରା ଆଦିବାସୀଙ୍କ ମହୋତ୍ସବ ଭାବେ ପରିଚିତ ‘ପରବ’ ଅନ୍ତର୍ଜତୀୟ ସ୍ତରରେ ପରିଚିତ ହେବାର ସୁଯୋଗ ପାଇପାରିବ”, କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରୀ ଉଲାକା।
ଏହି ଉତ୍ସବରେ ସହିଦ ଲକ୍ଷ୍ମଣ ନାୟକଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା। ଏହାକୁ ନେଇ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ। ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପରବ ମହୋତ୍ସବ। ଏହା ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇ ବ୍ଳକ୍ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ପରେ ଜିଲ୍ଲା ସ୍ତରରେ ପହଞ୍ଚିବ।
Tags: #Culture #Tradition #Koraput #Paraba #InauguralCeremony