ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଏବେ ଜୋରଦାର ପ୍ରଚାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଜୁ ଜନତା ଦଳ ୪୦ ଜଣିଆ ଷ୍ଟାର ପ୍ରଚରକମାନଙ୍କ ତାଲିକା ଘୋଷଣା କରିଛି।
ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର ପ୍ରଚାରକ ତାଲିକାରେ ଆଗରେ ରହିଥିବା ବେଳେ ଅନ୍ୟ ପ୍ରଚରକଙ୍କ ଭିତରେ ଅଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ, ରଣେଦ୍ର ପ୍ରତାପ ସ୍ଵାଇଁ, ଦେବୀ ପ୍ରସାଦ ମିଶ୍ର, ନବ କିଶୋର ଦାସ ପ୍ରମୁଖ।
ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏହି ପ୍ରଚାରକଙ୍କ ମଧ୍ୟରେ ସାମିଲ ଅଛନ୍ତି। ବିଜେଡି ପକ୍ଷରୁ ଜାରି ହୋଇଥିବା ତାଲିକାରେ ୫ ଜଣ ମହିଳା ପ୍ରଚାରକ ରହିଛନ୍ତି। ମନ୍ତ୍ରୀ ସ୍ନେହଙ୍ଗିନୀ ଛୁରିଆ, ଟୁକୁନି ସାହୁ ଓ ରୀତା ସାହୁ ପ୍ରମୁଖ ଏହି ତାଲିକାରେ ସାମିଲ ଅଛନ୍ତି।

ପଦ୍ମପୁର ଉପନିର୍ବାଚନ ମଇଦାନରେ ୧୧ ପ୍ରାର୍ଥୀ ଅଛନ୍ତି। ବିଜେଡି ଏହି ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷରଣୀ ସିଂହ ବରିହାଙ୍କୁ ନିଜ ପ୍ରାର୍ଥୀ କରିଛି । ସେହିପରି ପ୍ରଦୀପ ପୁରୋହିତ ବିଜେପିରୁ ଓ ସତ୍ୟଭୂଷଣ ସାହୁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ଏହାବାଦ ଆଉ ୮ ସ୍ଵାଧୀନ ପ୍ରାର୍ଥୀ ଏହି ଉପନିର୍ବାଚନରେ ମୁକାବିଲା କରିବେ। ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି।
ଏହି ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।ଗତ ଅକ୍ଟୋବର ୩ ତାରିଖରେ ୨୦୧୯ ରେ ବିଧାୟକ ହୋଇଥିବା ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।
Tags: #PadampurByElection #Starcampaigner #Politics #OdishaPolitics #PadampurPolitics #ByElection #BJD #BJP #Congress



















