ଓଡ଼ିଶାଲାଇଭ୍ ବ୍ୟୁରୋ

କମେଣ୍ଟମରାକୁ କେନ୍ଦ୍ର କରି ଭୁବନେଶ୍ଵରସ୍ଥିତ ବରମୁଣ୍ଡାଠାରେ କଙ୍ଗାରୁ କୋର୍ଟ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୩ ନାବାଳାକଙ୍କୁ ଗାଁ ମଝିରେ ଆଣ୍ଠେଇଲେ ଗ୍ରାମବାସୀ। ବରମୁଣ୍ଡା ପାଲାମଣ୍ଡପଠାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଗାଁ ସଭା ଆଳରେ ଲୋକମାନେ ଆଇନକୁ ହାତକୁ ନେଇଥିବା ଦେଖିବାକୁ ମିଳିଛି।
ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସର୍ବସମ୍ମୁଖରେ ଏକ ଘରିକିଆ କରିବାକୁ ଚେତାବନୀ ଦିଆଯାଇଛି। ନିଆଁ ପାଣି ବାସନ୍ଦ କରିବାକୁ ଖୁଲମଖୁଲ୍ଲା ଦିଆଯାଇଛି ଚେତାବନୀ। କେବଳ ସେତିକି ନୁହେଁ ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ଲାଇଭ୍ ମଧ୍ୟ କରାଯାଇଥିଲା। ଲୋକ ଲଜ୍ଜା ଭୟରେ ଜଣେ ନାବାଳକ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ସୂଚନା ରହିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୁଇ ସାଙ୍ଗ ବାଇକ୍ ନେଇ ବରମୁଣ୍ଡା ଅଞ୍ଚଳକୁ ଆସିଥିଲେ। କୌଣସି କଥାକୁ ନେଇ ବରମୁଣ୍ଡାର କିଛି ସ୍କୁଲ ପିଲାଙ୍କୁ ଏହି ଦୁଇ ସାଙ୍ଗ କମେଣ୍ଟ ମାରିଥିଲେ। ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ଦୁଇ ସାଙ୍ଗଙ୍କୁ କାବୁ କରି ନେଇଥିଲେ ସ୍ଥାନୀୟ ଲୋକ। ପୋଲିସକୁ ନ ଜଣାଇ ଜଣେ ବ୍ୟକ୍ତି ଯୁବକଙ୍କ ବାପାଙ୍କୁ ଫୋନ୍ କରି ଘଟଣା ସ୍ଥଳକୁ ଡାକିଥିଲେ।
ଯୁବକଙ୍କ ବାପା ଆସିବା ପରେ ତିନି ଜଣଙ୍କୁ ଆଣ୍ଡେଇ ପାଲା ମଣ୍ଡପଠାରେ ବସିଥିଲା କଙ୍ଗାରୁ କୋର୍ଟ। ଶହ ଶହ ଲୋକଙ୍କ ସାମ୍ନାରେ ବିଚାର କରାଯାଇଥିଲା ସେମାନଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ। ଏ ସମସ୍ତ ଘଟଣାକୁ ଫେସବୁକରେ ଲାଇଭ୍ କରାଯାଇଥିଲା। ଦୀର୍ଘ ଦୁଇ ଘଣ୍ଟା ନିର୍ଯାତନା କରିବା ପରେ ଶେଷରେ ଦୁଇ ଯୁବକଙ୍କ ସହ ଭୁଲ ମାଗିଥିଲେ ବାପା। ଏତିକିରେ ସରିନଥିଲା କଥା, ତିନି ଜଣଙ୍କଠାରୁ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରାଯାଇଥିଲା।
କଙ୍ଗାରୁ କୋର୍ଟର ଦଣ୍ଡ ବିଧାନ ପରେ ବାପା-ପୁଅ ଓ ପୁଅର ସାଙ୍ଗ ଘରକୁ ଫେରିଥିଲେ। ଘରେ ପହଞ୍ଚିଲା ପରେ ସୋସିଆଲ ମିଡିଆରେ ବାପାଙ୍କ ସହ ଆଣ୍ଠେଇବା ଭିଡିଓ ସୋସିଆଲ ମିଡିଆରେ ଦେଖି ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ଯୁବକ ଜଣଙ୍କ। ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ କରି ଫିନାଇଲ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ବରମୁଣ୍ଡା ଅଞ୍ଚଳର କିଛି ବ୍ୟକ୍ତି ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।
Tags: #KangarooCourt #Bhubaneswar #MinorBoys #Baramunda



















