ଓଡ଼ିଶାଲାଇଭ୍ ବ୍ୟୁରୋ

ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଅଙ୍କକସା ଚାଲିଥିବା ବେଳେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି। ସେ ହେବେ ହିମାଚଳ ପ୍ରଦେଶର ୧୫ତମ ମୁଖ୍ୟମନ୍ତ୍ରୀ।
ଶନିବାର ସଂଧ୍ୟାରେ ବସିବାକୁଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ମରାଯିବାର ସମ୍ଭାବନା ରହିଛି। ଏହା ପରେ ସୁଖୁଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହେବ। ହାମିରପୁର ଜିଲ୍ଲାର ନାଡାଉନର ତୃତୀୟ ଥର ବିଧାୟକ ସୁଖବିନ୍ଦର ସିଂ ବୃତ୍ତିରେ ଜଣେ ଆଇନଜୀବୀ ମଧ୍ୟ। ସେ କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ୍ ଇଣ୍ଡିଆ (NSUI)ର ଜଣେ ଦୃଢ଼ ଛାତ୍ର ନେତା ମଧ୍ୟ ଥିଲେ।
ସୁଖୁଙ୍କ ପଛରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ତାଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଇଛନ୍ତି। କିନ୍ତୁ ସୁଖୁଙ୍କ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲେ ବି ଆଗକୁ ବିବାଦ ଜାରି ରହିବାର ସମ୍ଭାବନା ରହିଛି । କାରଣ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂଙ୍କ ସମର୍ଥକ ସୁଖୁଙ୍କ ନାମକୁ ନେଇ ପୂର୍ବରୁ ହିଁ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିସାରିଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ପ୍ରତିଭାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବାର ଆଶଙ୍କା ବଢ଼ିଯାଇଛି।
Tags: #HimachalPradesh #ChiefMinister #SukhbinderSukhu #Congress



















