ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ବାତ୍ୟା ମାଣ୍ଡୋସ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଜିଲ୍ଲା ସହ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ ଓ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବୁଧବାର ସକାଳେ କଟକରେ ଘନ କୁହୁଡ଼ି ସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି।

ଓଡ଼ିଶାରେ ରାତି ତାପମାତ୍ରା ସ୍ଵଭାବିକଠାରୁ ୨ରୁ ୪ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ଏଥିଲାଗି ରାଜ୍ୟରେ ଏବେ ଶୀତର ପ୍ରଭାବ ହ୍ରାସ ପାଇଛି। ଶୀତ କମିଥିବାରୁ ଲୋକଙ୍କୁ ଅସହ୍ୟ ଥଣ୍ଡାରୁ କିଛି ମାତ୍ରାରେ ମୁକ୍ତି ମିଳିଛି। ଅନ୍ୟପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ହ୍ରାସ ପାଇଲେ ପୁଣି ରାଜ୍ୟରେ ଶୀତ ବଢ଼ିବ।

ତେବେ ମଙ୍ଗଳବାର କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳ ୧୪.୨ ଡିଗ୍ରୀ, କୋରାପୁଟ ୧୪.୮ ଡିଗ୍ରୀ, ଝାରସୁଗୁଡ଼ା ୧୫ ଡିଗ୍ରୀ, ଦାରିଙ୍ଗବାଡ଼ି ୧୬ ଡିଗ୍ରୀ, ଫୁଲବାଣୀ ୧୭.୫ ଡିଗ୍ରୀ, ବଲାଙ୍ଗୀର ୧୫.୮ ଡିଗ୍ରୀ, ସୁନ୍ଦରଗଡ଼ ୧୩.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି।

Tag: #Coldwave #ThickFog #Cuttack #Bhubaneswar #VisibilityDrops #50Meters #Odisha

LEAVE A REPLY

Please enter your comment!
Please enter your name here