ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ଆସନ୍ତା ଜାନୁଆରି ୧୩ ତାରିଖରେ ହେବାକୁ ଥିବା ହକି ମହାକୁମ୍ଭ ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ ରାଉରକେଲାରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ। ଆସନ୍ତା ଜାନୁଆରି ମାସରୁ ରାଉରକେଲାରେ ମୋ ବସ ସେବା ଆରମ୍ଭ ହେବ। ହକି ଦର୍ଶକଙ୍କୁ ମୋ ବସରେ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିବ।

ହକି ପାଇଁ ଅନ୍ୟ ମହାନଗର ନିଗମଗୁଡ଼ିକରେ ମଧ୍ୟ ନବକଳେବର କରାଯାଉଛି। ଏହି ସବୁ କାର୍ଯ୍ୟ ନିମନ୍ତେ କ୍ରୀଡ଼ା ବିଭାଗ ପକ୍ଷରୁ ୭୫ କୋଟି ଟଙ୍କା ଅନୁମୋଦନ ପ୍ରଦାନ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରୋଶ ଚନ୍ଦ୍ର ମହାପାତ୍ର।

ହକିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହକି ବିଶ୍ଵକପ ପାଇଁ ଚାଲିଥିବା କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ବୈଠକରେ ୫-ଟି ସଚିବ ଭି କେ ପାଣ୍ଡିଆନ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ହକି ବିଶ୍ଵକପ ୨୦୨୩କୁ ସ୍ମରଣୀୟ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ଷ୍ଟାଡିୟମ ପ୍ରସ୍ତୁତି, ଗମନାଗମନ, ଆତିଥେୟତା, ସୁରକ୍ଷା, ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି।

କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକିଷ୍ଟାଡିୟମରେ ପଡ଼ିଥିବା ୪ଟି ଟର୍ଫକୁ ହକି ଇଣ୍ଡିଆ ସ୍ଵୀକୃତି ପ୍ରଦାନ କରିଛି। ଏହା ସହିତ ଲାଇଟିଂ ବ୍ୟବସ୍ଥାକୁ ମଧ୍ୟ ସଂସ୍ଥା ପକ୍ଷରୁ ତଦାରଖ କରାଯାଇସାରିଛି। ଭୁବନେଶ୍ଵର ଏବଂ ରାଉରକେଲାରେ ଖେଳାଳିମାନଙ୍କୁ ଉପଲବ୍ଧ କରାଯିବାକୁ ଥିବା ସେବା ସମ୍ପର୍କରେ ସମୀକ୍ଷା ହୋଇଥିବାବେଳେ ଭୁବନେଶ୍ଵରରୁ ରାଉରକେଲା ଯିବାକୁ ଦଳଗୁଡ଼ିକୁ ବିମାନ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।

ରାଉରକେଲାରେ ଖୁବଶୀଘ୍ର ବିମାନ ଚଳାଚଳ କରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରି ମାସରୁ ରାଉରକେଲାରେ ମୋ ବସ ସେବା ସେବା ଆରମ୍ଭ ହେବା ସହ ହକି ଦର୍ଶକଙ୍କୁ ମାଗଣା ଯାତ୍ରା ସୁଯୋଗ ମିଳିବ। ଆସନ୍ତା ଜାନୁଆରି ୧୧ ତାରିଖରେ ହକି ବିଶ୍ଵକପ ଉତ୍ସବ ପାଳନ ହେବାକୁ ଯାଉଥିବାବେଳେ ସମସ୍ତ ପ୍ରସ୍ତୁତି କରାଯାଇଥିବା ବୈଠକରେ କୁହାଯାଇଛି।

ହକି ବିଶ୍ଵକପ ଉତ୍ସବ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରିାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ। ଏଥିରେ ସମସ୍ତ ଗୋଷ୍ଠୀ ଏବଂ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାକୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଛି। ତୁରନ୍ତ ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟ କାମ ଶେଷ କରିବାକୁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି।

Tags: #Hockey #Sports #HockeyIndia #HWC2023 #ReviewMeeting #Bhubaneswar #RourkelaKalingaStadium

LEAVE A REPLY

Please enter your comment!
Please enter your name here