ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆସନ୍ତାକାଲିକୁ ସମସ୍ତଙ୍କର ଅପେକ୍ଷା ରହିଛି।
ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିପାଇଁ ସରିଛି ପ୍ରସ୍ତୁତି। କଂସ ମହାରାଜାଙ୍କ ସ୍ଵାଗତ ପାଇଁ ସଜେଇ ହୋଇଛି ବରଗଡ଼ ସହର। ସହରର ବିଭିନ୍ନ ପ୍ରବେଶ ଦ୍ୱାରରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କରିଛନ୍ତି ଦକ୍ଷ କାରିଗର। ସହରର ବିଭିନ୍ନ ପାଚେରିରେ ଚିତ୍ରକରମାନେ ଧନୁଯାତ୍ରାର ନାଟକୀୟତାକୁ ନେଇ ଚିତ୍ର ଆଙ୍କିଛନ୍ତି। ବରଗଡ଼କୁ ଏକ ଚିତ୍ରଶାଳାରେ ପରିଣତ କରିବା ପାଇଁ ବେଶ୍ ପ୍ରୟାସ କରାଯାଇଛି।
କୋଭିଡ ମହାମାରୀର ଦୁଇ ବର୍ଷ ପରେ ଚଳିତ ବର୍ଷ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏ ବର୍ଷ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ଜୋର୍ଦାର ପ୍ରସ୍ତୁତି ଚାଲିଛି। ପୁଣି ଚଳିତ ବର୍ଷ ଧନୁଗଡ଼ରେ ଦର୍ଶକଙ୍କ ଭିଡ଼ ଜମିବ। ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଯାତ୍ରା ସମୟରେ ଯେପରି ବିଦ୍ୟୁତ ବିଭ୍ରାଟ ନ ଘଟେ ଏବଂ ପାନୀୟ ଜଳର ଅସୁବିଧା ନହୁଏ ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା ସମୟରେ ଯେପରି ଯାତାୟତରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ପରିବହନ ବିଭାଗ ତରଫରୁ ମଧ୍ୟ ପଦକ୍ଷେପ ନିଆଯାଉଛି। ମୋଟାମୋଟି ଭାବେ ସରକାରୀ ଓ ବେସରକାରୀ ସ୍ତରରେ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି କରାଯାଇଛି।
ଅମ୍ବାପାଲିରେ ବି ଚାଲିଛି ଜୋରଦାର ପ୍ରସ୍ତୁତି
କେବଳ ବରଗଡ଼ ସହର ନୁହେଁ, ଅମ୍ବାପାଲି ଗାଁରେ ମଧ୍ୟ ଜୋରସୋର୍ ପ୍ରସ୍ତୁତି ଚାଲିଛି। ଆଧୁନିକ ଗାଁଟିଏ ପୁରାଣର ଗୋପପୁରରେ ପରିଣତ ହେବାକୁ ଯାଉଛି ଲୋକମାନଙ୍କ ଦ୍ୱାରା। କେଉଁଠି ତୋରଣ ତ କେଉଁଠି ପାଚେରିରେ ପଟ୍ଟଚିତ୍ର, ମୁରୁଜ ପକାଇ ଧନୁଯାତ୍ରାକୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି।
କମ୍ପୁଛି ଆଖଡ଼ା ଶାଳ
ଧନୁଯାତ୍ରାର ନାଟକୀୟତାକୁ ଉଚ୍ଚାଙ୍ଗ କରିବା ପାଇଁ ଉଭୟ ବରଗଡ଼ ଓ ଅମ୍ବାପାଲିରେ ସ୍ୱତନ୍ତ୍ର ଭାବେ ‘ରିଅଲ୍ସାଲ୍’ ଜୋର୍ସୋର୍ରେ ଚାଲିଛି। ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଅଭିନୟକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ନୂତନ ପ୍ରୟୋଗର ପରୀକ୍ଷାନିରୀକ୍ଷା ଚାଲିଛି।
Tags: #DhanuJatra #KansaMaharaj #BargarhDhanujatra #Culture

















