ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଭୁବନେଶ୍ୱରରେ ଏହାର ଆଞ୍ଚଳିକ ଶାଖା ପ୍ରତିଷ୍ଠା କରିବାକୁ ସ୍ଥିର କରିଛି। ଆଞ୍ଚଳିକ କେନ୍ଦ୍ର ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର ଉପକଣ୍ଠ ଆନ୍ଧାରୁଆ ପାଖରେ ୩.୧୨୫ ଏକର ଜମି ଯୋଗାଇ ଦେଇଛନ୍ତି। ଏଥିପାଇଁ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଗୁରୁବାର ପଞ୍ଜୀକୃତ ଜମିପତ୍ରକୁ ଜାତୀୟ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ପ୍ରଫେସର ଅତୁଲ ଗୋଏଲଙ୍କୁ ହସ୍ତାନ୍ତର କରିଛନ୍ତି।

ଏନସିଡିସି ଆଞ୍ଚଳିକ କେନ୍ଦ୍ର ସଂକ୍ରାମକ ରୋଗ ଏବଂ ଅଣ-ସଂକ୍ରାମକ ରୋଗ ଡାଇଗ୍ନୋଷ୍ଟିକ୍ ପାଇଁ ଦିଆ ଯାଉଥିବା ସେବାଗୁଡିକର ବିସ୍ତାର କରିବ। ଏହି କେନ୍ଦ୍ର ଜିଲ୍ଲା ଜନସ୍ୱାସ୍ଥ୍ୟ ଲାବୋରେଟୋରୀ, ରାଜ୍ୟରେ ଥିବା ଅନ୍ୟାନ୍ୟ ଲାବୋରେଟୋରୀ ପାଇଁ ସର୍ବୋଚ୍ଚ ଲ୍ୟାବ ହେବ। ପ୍ରସ୍ତାବିତ ଏନସିଡିସି ଆଞ୍ଚଳିକ କେନ୍ଦ୍ର ଜିଲ୍ଲା ଲ୍ୟାବ, ଆରଟିପିସିଆର ଲ୍ୟାବ ଏବଂ ନିମ୍ନ ସ୍ତରୀୟ ଲାବୋରେଟୋରୀ ପାଇଁ ଗୁଣାତ୍ମକ ମାନ ନିର୍ଦ୍ଧାରଣ ସହିତ ସୁରକ୍ଷାର ନିରୀକ୍ଷଣ କରିବ।

“ଦେଶରେ ରୋଗ ପ୍ରତିରୋଧକୁ କ୍ଲିନିକାଲ ଚିକିତ୍ସା ସହିତ ସମାନ ଧ୍ୟାନ ଦିଆଯିବା ଉଚିତ। ଭୁବନେଶ୍ୱରରେ ନିର୍ମାଣ ହେବକୁଥିବା ଏନସିଡିସି ଆଞ୍ଚଳିକ ଶାଖା ରୋଗର ତଦାରଖରେ ଉନ୍ନତି ଆଣିବା ଏବଂ ଜନସ୍ୱାସ୍ଥ୍ୟରେ ପ୍ରଭାବ ପକାଉଥିବା ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ  ସମ୍ପୂର୍ଣ୍ଣ ସହଯୋଗ କରିବ”,କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ପ୍ରଫେସର ଅତୁଲ ଗୋଏଲ।

“ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରେ ଓଡିଶା ଏକ ପରିବର୍ତ୍ତନଶୀଳ ଆଭିମୁଖ୍ୟ ଗ୍ରହଣ କରିଛି। ଆରଏମଆରସି, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଏବଂ ଏମ୍ସ ଭଳି କେନ୍ଦ୍ରୀୟ ସଂଗଠନ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଏହା କୋଭିଡ୍ ମହାମାରୀ ସମୟରେ ରାଜ୍ୟକୁ ବହୁତ ସହାୟ ହୋଇଥିଲା”, କହିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ଏନସିଡିସି ଆଞ୍ଚଳିକ ଶାଖା ରୋଗର ନୂଆ ଧାରା ଉପରେ ନଜର ରଖିବା ସହ ବିଭିନ୍ନ ଅନୁସନ୍ଧାନ କାର୍ଯ୍ୟକଳାପକୁ ମଧ୍ୟ ସମର୍ଥନ କରିବ। ଏହି ଶାଖା ମାଧ୍ୟମରେ ରାଜ୍ୟ ସରକାର ଏକ ଲାବୋରେଟୋରୀ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ ବିକାଶ କରିବାକୁ ଯୋଜନା କରିଛନ୍ତି।

Tags: #NCDC #RegionalCentre #Bhubaneswar #HealthServices #Odisha

LEAVE A REPLY

Please enter your comment!
Please enter your name here