ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଆୟୋଜିତ ପ୍ୟାରେଡ ଭାରତର ସାମରିକ ସାମର୍ଥ୍ୟ ଏବଂ ସାଂସ୍କୃତିକ ବିବିଧତାର ମହିମା ବହନ କରେ। ୨୦୨୩ ସାଧାରଣତନ୍ତ୍ର ଦିବସ ସମାରୋହରେ ଏଥର ମଧ୍ୟ ନୂଆଦିଲ୍ଲୀ ରାଜପଥର ଶୋଭା ବଢ଼ାଇବ ସାଂସ୍କୃତିକ କାର୍ଯ୍ୟକ୍ରମ ‘ବନ୍ଦେ ଭାରତମ୍’। ଓଡ଼ିଶାର ଦୁଇଜଣ ବିଶିଷ୍ଟ ନୃତ୍ୟଗୁରୁ ନିବେଦିତା ମହାପାତ୍ର ଓ କବିତା ଦ୍ଵିବେଦୀଙ୍କ ତତ୍ତ୍ଵାବଧାନରେ ଭାରତର ବିଭିନ୍ନ ରାଜ୍ୟର କଳାକାରମାନେ ବିଶେଷ ନୃତ୍ୟ ପରିବେଷଣ କରିବେ।

ନାରୀଶକ୍ତି ଉପରେ ଆଧାରିତ ଏହି ନୃତ୍ୟକୁ ପରିବେଷଣ କରିବେ ୪୭୯ ଜଣ କଳାକାର। ଲଗାତର ଦ୍ଵିତୀୟ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପ୍ୟାରେଡରେ କଳାକାରମାନେ ଜଗତର ୫ଟି ମୂଳ ଉପାଦାନ- ପୃଥିବୀ, ଜଳ, ବାୟୁ, ଆକାଶ ଏବଂ ଅଗ୍ନିକୁ ଆଧାର କରି ମହିଳାଙ୍କ ଶକ୍ତିର ଚିତ୍ରଣ କରିବେ। କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ସମସାମୟିକ ଜାଜ୍ ସଙ୍ଗୀତର ସଂଗମ ଏଠାରେ ଦେଖିବାକୁ ମିଳିବ।

ଏହି ‘ବନ୍ଦେ ଭାରତମ୍’ ସାଂସ୍କୃତିକ ନୃତ୍ୟକୁ ୩୨୬ ଜଣ ମହିଳା ଓ ୧୫୩ ଜଣ ପୁରୁଷ କଳାକାର ପରିବେଷଣ କରିବେ। ସମସ୍ତ କଳାକାର ୧୭ ରୁ ୩୦ ବର୍ଷ ବୟସ ମଧ୍ୟରେ ରହିଛନ୍ତି। ଏହି କଳାକାରମାନଙ୍କୁ ଏକ ମାସର କଠିନ ପ୍ରତିଯୋଗିତା ପରେ ଗଣତନ୍ତ୍ର ଦିବସ କାର୍ଯକ୍ରମ ପାଇଁ ମନୋନୀତ କରାଯାଇଛି। ରାଜ୍ୟ, କ୍ଷେତ୍ର ଓ ଜାତୀୟ ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଶଣ କରିବା ପରେ ସେମାନେ ୨୬ ଜାନୁଆରି ପ୍ୟାରେଡ ପାଇଁ ଚୟନ ହୋଇଛନ୍ତି।

‘ବନ୍ଦେ ଭାରତମ୍’ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ୪ ଜଣ ନୃତ୍ୟଗୁରୁଙ୍କ ମଧ୍ୟରୁ ରହିଛନ୍ତି ଦୁଇଜଣ ଓଡ଼ିଆ। ସେମାନେ ହେଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ନିବେଦିତା ମହାପାତ୍ର ଓ କବିତା ଦ୍ଵିବେଦୀ ନିଜର ନିଜର ନୃତ୍ୟକଳା ମାଧ୍ୟମରେ ସେମାନେ ସାଉଣ୍ଟିଛନ୍ତି ଅନେକ ଖ୍ୟାତି। ୩୦ରୁ ଅଧିକ ଦେଶରେ ଓଡ଼ିଶୀ କାର୍ଯ୍ୟକ୍ରମ ପରିବେଷଣ କରିବାର ଗୌରବ ହାସଲ କରିସାରିଥିବା ନୃତ୍ୟାଙ୍ଗନା ନିବେଦିତା ମହାପାତ୍ର ଆଜି ଦେଶର ଜଣେ ଅଗ୍ରଣୀ ଶାସ୍ତ୍ରୀୟ ନୃତ୍ୟ କଳାକାର। ସେହିପରି ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ନିର୍ଦ୍ଦେଶନା ଲାଗି ବେଶ୍ ପ୍ରସିଦ୍ଧ କବିତା ଦ୍ଵିବେଦୀ। ନିବେଦିତା ମହାପାତ୍ର ଓ କବିତା ଦ୍ଵିବେଦୀଙ୍କ ଭଳି ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଙ୍କ ସହ ଜୟପ୍ରଭା ମେନନ ଓ ଭବାନୀ ମିଶ୍ର ମଧ୍ୟ ଏହି ‘ବନ୍ଦେ ଭାରତମ୍’ କାର୍ଯକ୍ରମର ତତ୍ତ୍ଵାବଧାନ କରିବେ।

ନୃତ୍ୟରେ ପରିବେଷଣ ହେବାକୁଥିବା ଗୀତକୁ ରାଜା ଭବଥରିଣୀ ଏବଂ ଆଲୋକାନନ୍ଦ ଦାସଗୁପ୍ତ ରଚନା କରିଛନ୍ତି। ସେମାନେ କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ସମସାମୟିକ ଜାଜ୍ ସଙ୍ଗୀତର ମିଶ୍ରଣରେ ମହିଳାଙ୍କ ଅନ୍ତର୍ନିହିତ ଶକ୍ତିକୁ ଉପସ୍ଥାପନା କରିଛନ୍ତି।

Tags: #RepublicDay #Rajpath #NewDelhi #Vandebharatam #CulturalShow #January26Parade

LEAVE A REPLY

Please enter your comment!
Please enter your name here