ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଆର୍ଦ୍ରଭୂମି ସମ୍ପର୍କରେ ପ୍ରସ୍ତୁତ ତଥ୍ୟାବଳୀକୁ ଫେବ୍ରୁଆରି ୮ ତାରିଖରେ ସତଭିକ୍ସୋଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ସତ୍ୟବ୍ରତ ସାମଲଙ୍କ ଦ୍ଵାରା ଭୁବନେଶ୍ୱରର ୟୁନିସେଫ୍ ସମ୍ମିଳନୀ କକ୍ଷରେ ଉନ୍ମୋଚନ କରାଯାଇଛି। ୟୁଥ୍ ଫର ୱାଟର ପକ୍ଷରୁ ଆର୍ଦ୍ରଭୂମି ଉପରେ ପ୍ରସ୍ତୁତ ଏହି ତଥ୍ୟାବଳୀ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଦିଗରେ ସହାୟକ ହେବା ସହ ଆର୍ଦ୍ରଭୂମିର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବୋଲି ସତ୍ୟବ୍ରତ କହିଛନ୍ତି।
ୟୁଥ୍ ଫର ୱାଟର ପ୍ଲସ୍ ଚାମ୍ପିୟନ ସତ୍ୟବ୍ରତ ସାମଲ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୪୦୦ରୁ ଅଧିକ ପ୍ଲଗିଂ ଡ୍ରାଇଭ୍ ଚଳାଇଛନ୍ତି। ଉନ୍ମୋଚନ କାର୍ଯକ୍ରମ ଅବସରରେ ସତ୍ୟବ୍ରତ ସାମଲଙ୍କୁ ୟୁଥ୍ ଫର ୱାଟର୍ ପ୍ଲସ୍ ଦ୍ୱାରା ‘କ୍ଲାଇମେଟ ମ୍ୟାନ୍ ଅଫ୍ ଓଡ଼ିଶା’ର ଆଖ୍ୟା ଦିଆଯାଇଛି।
“ଜଳ, ପରିମଳ, ସ୍ୱଚ୍ଛତା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଯୁବ ସଂଗଠନ ପାଇଁ ଓଡ଼ିଶା ସରକାରଙ୍କ ସହଭାଗିତାରେ ୟୁନିସେଫ ଓଡ଼ିଶା ଦ୍ୱାରା ୟୁଥ ଫର ୱାଟର ପ୍ଲସ ଏକ ବଳିଷ୍ଠ ପଦକ୍ଷେପ। ଏହି ଅଭିଯାନରେ ସାରା ରାଜ୍ୟର ୫ ଲକ୍ଷରୁ ଅଧିକ ଯୁବବର୍ଗ ଜୋଡ଼ି ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା ଓ ଲିଙ୍ଗଗତ ସମାନତା ସୃଷ୍ଟି ନିମନ୍ତେ ଏହି ଅଭିଯାନର ଗୁରୁତ୍ଵ ରହିଛି,” କହିଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା।
ୟୁଥ୍ ଫର ୱାଟର୍ ଅଭିଯାନ ଦ୍ଵାରା ଏହି କ୍ଷେତ୍ରରେ ନବସୃଜନ ଓ ଔଦ୍ୟୋଗିକ ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଅନଲାଇନ ପ୍ରଶିକ୍ଷଣ ଓ ଅଭିନବ ଢଙ୍ଗରେ ସହଭାଗୀ କାର୍ଯ୍ୟକଳାପରେ ମୂଲ୍ୟ ବୃଦ୍ଧି କରି ୟୁଥ୍ ଫର ୱାଟର ପ୍ଲସ ଅଭିଯାନ ବିଗତ ବର୍ଷରେ ହଜାର ହଜାର ଯୁବବର୍ଗଙ୍କ ନିକଟରେ ପହଞ୍ଚି ପାରିଥିବା ସେ କହିଛନ୍ତି।
“ୟୁଥ ଫର ୱାଟର ପ୍ଲସ୍ ଦ୍ଵାରା ବିକଶିତ ଏହି ତଥ୍ୟାବଳୀ ଜଳବାୟୁ ସମ୍ପର୍କୀତ କାର୍ଯ୍ୟକଳାପ ଦିଗରେ ଓଡ଼ିଶାର ଯୁବପିଢ଼ିଙ୍କୁ ନୂତନ ଦିଗ ପ୍ରଦାନ କରିବ”, କହିଛନ୍ତି ସତ୍ୟବ୍ରତ ସାମଲ।
ଯୁବବର୍ଗ ୟୁଥ୍ ଫର ୱାଟର ପ୍ଲସ ସହ ଜୋଡ଼ି ହୋଇ ଏହାର ଏକ ଅଂଶ ହେବାକୁ ଅନୁରୋଧ କରିଛନ୍ତି ସତ୍ୟବ୍ରତ।
ଉନ୍ମୋଚନ କାର୍ଯ୍ୟକ୍ରମରେ ମୋଟ ୨୦ ଜଣ ସଦସ୍ୟ ଉପସ୍ଥିତ ରହିବା ସହ ୧୦୦୦ ଜଣ ଫେସବୁକ୍ ଓ ୟୁଟ୍ୟୁବ୍ ଲାଇଭ୍ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।
Tags: #YouthForWaterPlus #UNICEF #WetlandFactSheet #Unveil #SaveWater #AwarenessAmongYouth #Odisha








