ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି। ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ଉତ୍କଳ ମଣ୍ଡପ ଯାଇ ଜ୍ଞାନପ୍ରଭା ମିଶନର ଦ୍ଵିତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
ଶୁକ୍ରବାର ୧୧ଟା ୩୦ ସମୟରେ ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଛି। ଏହାପରେ ରାଷ୍ଟ୍ରପତିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଉତ୍କଳ ମଣ୍ଡପକୁ ନିଆଯାଇଛି।
ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଷ୍ଟ୍ରପତିଙ୍କ ସ୍ଵାଗତ ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।
ଶୁକ୍ରବାର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ଦ୍ଵିତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି।
Tags: #PresidentOfIndia #DroupadiMurmu #OdishaVisit #Bhubaneswar #Odisha



















