ଓଡ଼ିଶାଲାଇଭ ବ୍ୟୁରୋ

“ମଣିଷ ଯୋଗଯୁକ୍ତ ହେଲେ ରୋଗ ମୁକ୍ତ ହୋଇପାରିବ। ଯୋଗ ହେଉଛି ଭାରତର ପୁରାତନ ବିଦ୍ୟା। ସାରା ବିଶ୍ଵ ଯୋଗର ମହତ୍ଵ ଉପଲବ୍ଧି କରିଛି। ସୁସ୍ଥତା କହିଲେ ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ବୁଝାଏ, ଯାହା ଯୋଗ ଦ୍ଵାରା ସମ୍ଭବ। ସାମାଜିକ ଓ ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି”, ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଥିଲେ। ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ସିଧାସଳଖ ଉତ୍କଳ ମଣ୍ଡପ ଯାଇ ଜ୍ଞାନପ୍ରଭା ମିଶନର ଦ୍ଵିତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ, ଯୋଗ ଦ୍ଵାରା ମାନସିକ ଶାନ୍ତି ମିଳେ। ଅବସାଦରୁ ଯୋଗ ମଣିଷକୁ ମୁକ୍ତି ଦେଇପାରେ। ତାଙ୍କୁ ଅବସାଦପୂର୍ଣ୍ଣ ସମୟରୁ ଯୋଗ ମୁକୁଳାଇ ପାରିଛି ବୋଲି କହିବା ସହ ଯୋଗ ଯୋଗୁଁ ସେ ଏତେ ବାଟ ଆସିପାରିଥିବା କହିଥିଲେ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ମା’ଙ୍କୁ ମନେ ପକାଇବା ସହ ଭାବବିହ୍ଵଳ ହୋଇପଡ଼ିଥିଲେ। ସେ ବାପା, ମା’ଙ୍କର ପିଲା ପ୍ରତି ରହିଥିବା ତ୍ୟାଗ ଏବଂ ମମତା ସମ୍ପର୍କରେ କହିବା ସହ ବାପା, ମା’ ଓ ଗୁରୁଜନଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ କେବଳ ବାପା, ମା’ଙ୍କ ଫଟୋକୁ ପୂଜା କଲେ ହେବ ନାହିଁ ସେମାନଙ୍କ ଯତ୍ନ ହିଁ ଶ୍ରେଷ୍ଠ ଧର୍ମ ହେବ। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ଵରେ ପରିଣତ କରିଥାଏ ବୋଲି କହିଥିଲେ ଦ୍ରୌପଦୀ ମୁର୍ମୁ।
Tags: #PresidentofIndia #DraupadiMurmu #OdishaVisit #UtkalMandap


















