ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ଯୁବତୀଙ୍କ ନିଆରା ଉଦ୍ୟମ। ବାଉଁଶରେ ତିଆରି କରୁଛନ୍ତି ଭଳିକି ଭଳି ଅଳଙ୍କାର। ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ମାଧ୍ୟମ ପାଲଟିଛି ‘ବାଉଁଶ ଅଳଙ୍କାର’।

ନିଖୁଣ କରିଗିରି ଏବଂ କଳା କୌଶଳ ପ୍ରୟୋଗ କରି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ବଡ଼ଚାନ୍ଦଲି ଗ୍ରାମର ଶିକ୍ଷିତ ଯୁବତୀ ବାଉଁଶରେ ତିଆରି କରୁଛନ୍ତି ମାନଲାଖି ଭଳିକି ଭଳି ଅଳଙ୍କାର। ବାଉଁଶରୁ ପ୍ରସ୍ତୁତ ହେଉଥିବା ଏହି ଅଳଙ୍କାରରେ ଭରି ରହିଛି ନିଖୁଣ କଳାକୃତି। ବାଉଁଶରୁ ତିଆରି ଅଳଙ୍କାର ପ୍ରତି ଆଗ୍ରହ ଦେଖାଉଛନ୍ତି ମହିଳାମାନେ।

ପ୍ରଥମ ଥର ପାଇଁ ଆଦିବାସୀ ବହୁଳ ଅଞ୍ଚଳରେ କିଛି ଯୁବତୀ ଏଭଳି ନିଆରା ପ୍ରୟାସ ଆରମ୍ଭ କରି ଜିଲ୍ଲାରେ ଚର୍ଚ୍ଚା ସାଉଣ୍ଟିଛନ୍ତି। ପର୍ଯ୍ୟାୟ କ୍ରମେ ଏହି ଗହଣାଗୁଡ଼ିକର ଚାହିଦା ବୃଦ୍ଧି ପାଇବାରୁ ଏଥିରେ ନିୟୋଜିତ ଯୁବତୀମାନେ ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏବେ ଏମାନଙ୍କ ଅଳଙ୍କାର ତିଆରି ଓ ବିକ୍ରିବଟାରେ ସହଯୋଗ କରୁଛି ଓରମାସ ଏବଂ ଆଇଟିଡିଏ।

ବଡ଼ଚାନ୍ଦଲି ଗ୍ରାମର ୨୫ ଜଣ ଯୁବତୀ ବାଉଁଶରେ ତିଆରୁଛନ୍ତି ସୁନ୍ଦର ସୁନ୍ଦର ଗହଣା। ନିଜେ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେମାନେ ଏହି ଅଳଙ୍କାର ତିଆରି କରୁଛନ୍ତି। ଆଦିବାସୀ ଯୁବତୀଙ୍କ ଏଭଳି ଉଦ୍ୟମ ଦେଖି ଏକ ସ୍ଵେଚ୍ଛାସେବୀ ସଂସ୍ଥା ଏହି ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ସହାୟତାର ହାତ ବଢ଼ାଇଛି।

ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ଏନଆଇଏଫଟି ଶିକ୍ଷାନୁଷ୍ଠାନର ଚିତ୍ରକଳା ଶିକ୍ଷକ ଏହି ଯୁବତୀମାନଙ୍କୁ ତାଲିମ ଦେଉଛନ୍ତି। ବାଉଁଶରୁ ତିଆରି ହୋଇଥିବା ସୁନ୍ଦର ଅଳଙ୍କାରର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ଦେଖିବାକୁ ମିଳୁଛି। ପ୍ରଥମେ ବାଉଁଶକୁ କାଟି ଖଣ୍ଡଖଣ୍ଡ କରିହ ସେଗୁଡ଼ିକୁ ପଲିସ କରାଯାଏ। ପରେ ସେହି ବାଉଁଶ ଖଣ୍ଡରେ ଚିତ୍ର ଆଙ୍କି ଭଳିକି ଭଳି  ଅଳଙ୍କାର ପ୍ରସ୍ତୁତ କରାଯାଏ। କାନଫୁଲ, କ୍ଲିପ୍‌, ଚୁଡ଼ି, ମାଳି, କମର ବେଲ୍ଟ, ରାଖି ଆଦି ବାଉଁଶରୁ ପ୍ରସ୍ତୁତ କରୁଛନ୍ତି ଏହି ଯୁବତୀମାନେ।

ଗହଣା ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ

ଅଳଙ୍କାର ତିଆରି କରିବା ପାଇଁ ମୁଖ୍ୟତଃ ବାଉଁଶ, ବେଲମଞ୍ଜି, ତୁଳସୀକାଠ, ରୁଦ୍ରାକ୍ଷ, ହଳଦିଗଣ୍ଡି, ଚାପତି, କଫିଗୁଣ୍ଡ, ବାଉଁଶ କଳା, ଗୋମୁତ୍ର, ନିମ୍ବପତ୍ର, ତମ୍ବା ତାର, ବିଭିନ୍ନ ରଙ୍ଗ ଓ ପଥର ଆଦିର ଆବଶ୍ୟକତା ହୋଇଥାଏ। ବାଉଁଶ ଅଳଙ୍କାର ପ୍ରସ୍ତୁତ କରି ଯୁବାତୀମାନେ ମାସକୁ ୧୦ରୁ ୧୨ ହାଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଏହା ଦ୍ଵାରା ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ କ୍ଷେତ୍ରରେ ସହଯୋଗ ମଧ୍ୟ କରିପାରୁଛନ୍ତି।

ରାୟଗଡ଼ା ମହାବିଦ୍ୟାଳୟରେ ପାଠପଢ଼ିବା ସମୟରେ ଆଦିବାସୀ ଛାତ୍ରୀମାନେ ପାଠପଢ଼ା ପରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ‘ମା’ ସନ୍ତୋଷୀ ବାଳିକା ଗୋଷ୍ଠୀ’ ଗଠନ କରିଥିଲେ। ଧୀରେ ଧୀରେ ଯୁବତୀମାନେ ବାଉଁଶରେ ଅଳଙ୍କାର ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ। ବାଉଁଶରୁ ପ୍ରସ୍ତୁତ ଅଳଙ୍କାରର ଚାହିଦା ବଢ଼ିବା ସହ ଏହା ରୋଜଗାର ଦେଉଥିବାରୁ ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ଜିଲ୍ଲାର ଅନ୍ୟ ଯୁବତୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

Tags: #BamboCraft #BamboOrnaments #Rayagada #Employment

LEAVE A REPLY

Please enter your comment!
Please enter your name here