ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୌଜନ୍ୟମୂଳକ ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ଦିନ ସାକ୍ଷାତ କରିଛନ୍ତି। ଦୁଇ ଦିନ ପୁରୀରେ ରହଣି ପରେ ମମତା ଆଜି ଭୁବନେଶ୍ଵର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥିଲା। ନବୀନ ପଟ୍ଟନାୟକ ମମତାଙ୍କୁ ଉପହାର ସ୍ଵରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ପ୍ରଦାନ କରିଥିଲେ। ଏହା ସହିତ ତିନି ରଥର ପ୍ରତିକୃତି, ରୁପାର ବୋଇତ, ହକି ଇଣ୍ଡିଆର ଜର୍ସି ଏବଂ ଛେନାପୋଡ଼ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ମମତା ବାନାର୍ଜୀ ନିଜ ସାଙ୍ଗରେ ଆଣିଥିବା ଏକ ସାଲକୁ ଉପହାର ସ୍ଵରୂପ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ ବାର୍ତ୍ତାଳାପ ହୋଇଥିଲା। ଓଡ଼ିଶାରେ ମିଳିଥିବା ଆତିଥ୍ୟ ପାଇଁ ମମତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ମାର୍ଚ୍ଚ ୨୧ ତାରିଖରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମମତା ବାନାର୍ଜୀ। ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ମନ୍ଦରରେ ପହଞ୍ଚିବା ପରେ ମଙ୍ଗଳବାର ଦିନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁରୀ ଅଭିମୁଖେ ଗସ୍ତ କରିଥିଲେ ମମତା। ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ପୁରୀରେ ସେ ରାତ୍ରୀଯାପନ କରିଥିଲେ। ବୁଧବାର ଦିନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେବାୟତମାନଙ୍କ ପକ୍ଷରୁ ତାଙ୍କୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଥିଲା।

ଆଜି ପୁରୀରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମମତା ବାନାର୍ଜୀ ଆସି ଭୁନେଶ୍ଵରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରିବା ପରେ ପଶ୍ଚିମବଙ୍ଗ ଫେରିଯାଇଛନ୍ତି।

Tags: #Politics #CMNaveenPatnaik #WestBengalCMMamtaBanerjee #MamtaBanerjeeinOdisha #CMNaveenGiftedtoMamta

Comment