ଓଡ଼ିଶାଲାଇଭ୍ ବ୍ୟୁରୋ

 

ଶେଷ ହୋଇଯାଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ଯାଏଁ ଚାଲିବାକୁ ଥିବା ବଜେଟ ଅଧିବେଶନ ଶୁକ୍ରବାର ୬ ଦିନ ପୂର୍ବରୁ ଶେଷ ହୋଇଛି। ଏନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଶେଷ ଦିନରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୋଇଛି।

ଶୁକ୍ରବାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରି ବିଲକୁ ପାରିତ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ବିଧାନସଭାରେ ଅର୍ଥମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ କହିଥିଲେ। ଏହି ବିଲ୍‌ ଆଲୋଚନାରେ ବିରୋଧୀ ଦଳର ବିଧାୟକମାନେ ଭାଗ ନେଇ ନଥିଲେ। ଶେଷରେ ବିଲ୍‌ଟି ପାରିତ ହୋଇଥିଲା।

ବ୍ୟୟମଞ୍ଜୁରି ବିଲ୍ ପାରିତ ହେବା ପରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବଜେଟ ଅଧିବେଶନ ଶେଷ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ବିଧାନସଭାରେ ଶାସକ ଦଳର ଉପସ୍ଥିତ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ଅଧିବେଶନ ଶେଷ ହେବାର ଘୋଷଣା କରିଥିଲେ।

ଚଳିତ ବର୍ଷ ଫେବ୍ରୁଆରି ୨୧ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିଥିଲା। ଏଥର ଅଧିବେଶନରେ ମୋଟ ୨୩ଟି କାର୍ଯ୍ୟ ଦିବସ ରହିଥିଲା। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଫେବ୍ରୁଆରି ୨୪ ତାରିଖରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ୍‌ ଉପସ୍ଥାପନ କରିଥିଲେ।

Tags: #OdishaAssembly #BudgetSession #AppropriationBill #Financialyear2023-24 #Odisha

LEAVE A REPLY

Please enter your comment!
Please enter your name here