ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚାଲିଛି ପ୍ରଶାନ୍ତ କିଶୋରଙ୍କ ପଦଯାତ୍ରା। ନିର୍ବାଚନ ରଣନୀତି ପ୍ରସ୍ତୁତିରୁ ଦୂରେଇ ରହିଥିବା ପିକେ କାହା ସ୍ଵାର୍ଥରେ ବିହାରରେ ବ୍ୟସ୍ତ ରହିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।

ପ୍ରଶାନ୍ତ କିଶୋର, ରାଜନୀତି ପ୍ରତି ରୁଚି ରଖୁଥିବା ଲୋକେ ତାଙ୍କୁ ପିକେ ନାଁରେ ଜାଣନ୍ତି। ପ୍ରାୟ ଦଶନ୍ଧି ଧରି ବିଭିନ୍ନ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଏବେ ପଦଯାତ୍ରାରେ ବ୍ୟସ୍ତ ଅଛନ୍ତି।

ପ୍ରଶାନ୍ତ କିଶୋର ଗତ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଥିବା ପଦଯାତ୍ରା ପୂରା ବିହାର ପରିକ୍ରମା କରିବ। କୌଣସି ଦଳ ପାଇଁ ନିର୍ବାର୍ଚନ ରଣନୀତି ପ୍ରସ୍ତୁତିରୁ ନିଜକୁ ଦୂରେଇ ରଖିଥିବା ପ୍ରଶାନ୍ତ ଏବେ କେବଳ ବିହାରରେ କାହିଁକି ବ୍ୟସ୍ତ ଅଛନ୍ତି। ପ୍ରଶାନ୍ତଙ୍କ ଟାର୍ଗେଟରେ ବିହାର ନା ଆଉ କାହାର ଟାର୍ଗେଟ ହାସଲ କରିବାରେ ପ୍ରଶାନ୍ତଙ୍କର ଏହା ନୂଆ ଷ୍ଟ୍ରାଟେଜି ତାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି।

ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରାୟ ୧୫ ମାସ ଧରି ଚାଲିବ। ସବୁ ଗାଁ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଶାନ୍ତ କୁମାର। ତାଙ୍କ କହିବା ଅନୁସାରେ ଭଲ ଲୋକ, ଭଲ ବିଚାର ଓ ସାମୁହିକ ପ୍ରୟାସକୁ ଆଧାର କରି ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଭୌଗୋଳିକ ଦୃଷ୍ଟିରୁ କୌଣସି ଏକ ସ୍ଥାନରେ ଶେଷ ହେବ।

ପ୍ରଶାନ୍ତଙ୍କ କହିବା କଥା ସୁରାଜ ଯାତ୍ରାର ଅର୍ଥ ରାଜ୍ୟରେ ସୁଶାସନ ଜରୁରୀ। ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଗତ ସରକାରଗୁଡ଼ିକର ଗଠନରେ ବି ପ୍ରଶାନ୍ତ ସାହାଯ୍ୟ କରିଥିଲେ, ତେବେ ଏବେ ଭିନ୍ନ ରଣନୀତି କାହିଁକି ବୋଲି ପ୍ରଶ୍ନ ଉଠିଛି।

ନିଜ ପଦଯାତ୍ରାକୁ ବିଶୁଦ୍ଧ ପଦଯାତ୍ରା କହିଆସୁଛନ୍ତି ପ୍ରଶାନ୍ତ କିଶୋର। କାରଣ ସେ ଏଥିରେ ନା ବାଇକ ନା କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି। ଗୋଟିଏ ଦିନରେ ଯେତିକି ଚାଲିବା ସମ୍ଭବ ହେଉଛି ସେତିକି ସେ ଦିନର ପଦଯାତ୍ରା। ପ୍ରଶାନ୍ତ ତାଙ୍କ ପଦଯାତ୍ରାର ସୀମା ନିର୍ଦ୍ଧାରଣ କରିହାନ୍ତି କି ସମୟସୀମା ମଧ୍ୟ ଧାର୍ଯ୍ୟ କରିନାହାନ୍ତି। ପ୍ରଶାନ୍ତ ଲୋକମାନଙ୍କୁ ନିଜ ବିଚାରଧାରା ବୁଝାଇବାରେ ଲାଗିପଡ଼ିଛନ୍ତି।

ଗୋଟେ ବିଚାରଧାରାକୁ ନେଇ ଚାଲିଥିବା ପଦଯାତ୍ରା ଭବିଷ୍ୟତରେ ରାଜନୈତିକ ଅଭିଯାନରେ ପରିଣତ ହେବାର ସମ୍ଭାବନାକୁ ଆଦୌ ଅସ୍ଵୀକାର କରିନାହାନ୍ତି ପ୍ରଶାନ୍ତ। କିନ୍ତୁ ପ୍ରଶାନ୍ତଙ୍କ ବ୍ୟକ୍ତିଗତ ରାଜନୈତିକ ଆକାଂକ୍ଷାକୁ ଅନ୍ୟ କୌଣସି ରାଜନୈତିକ ଦଳ ମାନିବାକୁ ପ୍ରସ୍ତୁତ ନାହାନ୍ତି। ପ୍ରଶାନ୍ତ ଏକ ନିର୍ଦ୍ଦିଷ୍ଟ କୌଣସି ରାଜନୈତିକ ଦଳ ପାଇଁ ଏହି ଇଭେଣ୍ଟର ଆୟୋଜନ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଶାନ୍ତଙ୍କ ପୂର୍ବତନ କ୍ଲାଏଣ୍ଟ ଜେଡିୟୁ କହିଛି, “ପ୍ରଶାନ୍ତ ଏସବୁ ବିଜେପି ପାଇଁ ହିଁ କରୁଛନ୍ତି। ଏଥିପାଇଁ ବିଜେପି ପାଣ୍ଠି ଯୋଗାଉଛି। କାରଣ ବିଜେପି ମେଣ୍ଟରୁ ବାହାରି ନୀତିଶ ଆର୍‌ଜେଡି ସହ ମେଣ୍ଟ କରି ସରକାର ଗଠନ କରିବା ପରେ ପ୍ରଶାନ୍ତଙ୍କୁ ନିୟୋଜିତ କରିଛି ବିଜେପି।“

କଂଗ୍ରେସ ବି କହିଛି, ପ୍ରଶାନ୍ତଙ୍କର ରାଜନୀତି ସହିତ ସମ୍ପର୍କ କେବଳ ବାଣିଜ୍ୟିକ ରହିଆସିଛି। ତେଣୁ ଏଥର ବି ସେମିତି ହୋଇଥିବ। ଆର୍‌ଜେଡି, ବିଜେପି ବି ସମାନ ଭାବରେ ଟାର୍ଗେଟ କରିଆସୁଛନ୍ତି ପ୍ରଶାନ୍ତଙ୍କୁ।

ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ତାଙ୍କର ସମ୍ପର୍କକୁ ଖଣ୍ଡନ କରିଆସୁଛନ୍ତି। ସେ କହିଛନ୍ତି ଏହି ପଦଯାତ୍ରାରେ ସେ ଲୋକଙ୍କ ସହ ମିଶୁଛନ୍ତି। ସେମାନଙ୍କ ସମସ୍ୟା ବୁଝୁଛନ୍ତି। କାହିଁକି ସମସ୍ୟାର ସମାଧାନ ହେଉନି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି। ବିହାରରେ କେମିତି ସରକାର ଦରକାର ଓ ଏଥିରେ ଲୋକଙ୍କର ଭୂମିକା କେମିତି ତାହା ବୁଝେଇବାକୁ ଚେଷ୍ଟା କରୁଥିବା ପ୍ରଶାନ୍ତ ଏକାଧିକ ସାକ୍ଷାତକାରରେ କହିଛନ୍ତି।

୧୫ ମାସର ପଦଯାତ୍ରାରେ ବିହାରର ସବୁ ଲୋକସଭା ଓ ଏହା ଅଧୀନରେ ଆସୁଥିବା ସବୁ ବିଧାନସଭା ନିର୍ବାଚନମଣ୍ଡଳୀ ବୁଲିସାରିଥିବେ ପ୍ରଶାନ୍ତି। ସବୁ ଗାଁର ଲୋକଙ୍କ ସହ ମିଶିବା ପାଇଁ ଯୋଜନା କରିଥିବାରୁ ଲୋକଙ୍କ ଆଶା, ଆକାଂକ୍ଷା, ଆପତ୍ତି ଓ ଅସନ୍ତୋଷ ନେଇ ପ୍ରଶାନ୍ତଙ୍କର ବେଶ ଭଲ ଧାରଣା ସୃଷ୍ଟି ହୋଇଥିବ। ପଦଯାତ୍ରା ଶେଷ ହେବା ବେଳକୁ ସାଧାରଣ ନିର୍ବାଚନ ସମୟ ହୋଇଥିବ। ଠିକ୍ ଏହି ସମୟରେ ରାଜନୈତିକ ଦଳ ଗଠନ କରି ନିର୍ବାଚନକୁ ଡେଇଁବା କିଛି ଅସମ୍ଭବ ନୁହେଁ ବୋଲି କିଛି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି।­

ଭୋଟରଙ୍କ ମୁଡ୍ ଓ ରାଜନୈତିକ ଦଳର କ୍ଷମତା ଆକଳନ କରିବାରେ ଚମତ୍କାର ଦକ୍ଷତା ରହିଛି ପ୍ରଶାନ୍ତଙ୍କର। ଏହି ୧୫ ମାସର ପଦଯାତ୍ରା ତାଙ୍କୁ ବ୍ୟକ୍ତିଗତ ସ୍ତରରେ ରାଜନୈତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ ବୋଲି  ଚର୍ଚ୍ଚା ହେଉଛି। କିନ୍ତୁ ପ୍ରଶାନ୍ତଙ୍କ ଏ ପଦଯାତ୍ରା ଅନେକ ରାଜନୈତିକ ଦଳକୁ ଅଡୁଆରେ ପକାଇଛି। କାରଣ ପ୍ରଶାନ୍ତଙ୍କ ଏହି ପ୍ରୟୋଗ ବିହାରରୁ ବାହାରି ଅନ୍ୟ ରାଜ୍ୟକୁ ଗଲେ ପାରମ୍ପରିକ ରାଜନୀତି କ୍ଷତିଗ୍ରସ୍ତ ହେବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବି ପ୍ରଶାନ୍ତଙ୍କ କ୍ଲାଏଣ୍ଟ। ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ସନରୁ ଆରମ୍ଭ ହୋଇଥିବା ସାମାଜିକ ଆନ୍ଦୋଳନ ରାଜନୈତିକ ଦଳ ଗଠନରେ ପହଞ୍ଚିଥିଲା। ଏବେ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ  ପାର୍ଟି ହିମାଚଳ ପ୍ରଦେଶ, ଗୋଆ, ହରିଆଣା, ପଞ୍ଜାବ, ଗୁଜରାଟରେ ନିଜର ପାଦ ଥାପି ସାରିଲାଣି। ପଞ୍ଜାବ ଓ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟିର ସରକାର ବି ରହିଛି।

ପ୍ରଶାନ୍ତଙ୍କ ପରାମର୍ଶ କେଜ୍ରିଓ୍ଵାଲଙ୍କୁ ରାଜନୀତିରେ ସଫଳ କରିଛି। ଯଦି ପ୍ରଶାନ୍ତ କେଜ୍ରିଓ୍ଵାଲଙ୍କ ପରି ରାଜନୈତିକ ଗବେଷଣା କରନ୍ତି ତେବେ ବିହାର ତାଙ୍କ ପାଇଁ ସବୁଠାରୁ ଭଲ ଗବେଷଣାଗାର ବୋଲି ରାଜନୀତି ସମୀକ୍ଷମାନେ କହିଛନ୍ତି।

ପ୍ରଶାନ୍ତ କିଶୋରଙ୍କ ଘର ବିହାରରେ। ପରୋକ୍ଷ ନିର୍ବାଚନ ପରିଚାଳନାରେ ବି ତାଙ୍କର ଅନୁଭବ ରହିଛି। ପଦଯାତ୍ରାରେ ସେ ଯିବା ବେଳେ ଲୋକଙ୍କୁ ଭୋଟ୍‌ ନ ମାଗି ଭଲ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରୁଛନ୍ତି। ଗ୍ରାମାଞ୍ଚଳର ଲୋକେ ବି ତାଙ୍କର ଏହି ଷ୍ଟାଇଲକୁ ପସନ୍ଦ କରୁଛନ୍ତି। ବିଭିନ୍ନ ଗାଁରେ ରାତି ବିତାଉଛନ୍ତି ପ୍ରଶାନ୍ତ। ଲୋକଙ୍କ ସହ କଥା ହେଉଛନ୍ତି। ସେମାନଙ୍କ ପସନ୍ଦକୁ ବୁଝୁଛନ୍ତି ପ୍ରଶାନ୍ତ। ଯଦି ପ୍ରଶାନ୍ତ ରାଜନୈତିକ ଦଳ ଗଠନ କରନ୍ତି ତେବେ ଏହି ପଦଯାତ୍ରାର ଅଭିଜ୍ଞତା ତାଙ୍କୁ ପ୍ରାର୍ଥୀ ଚୟନ କରିବାରେ ସହଯୋଗ କରିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ପ୍ରଶାନ୍ତଙ୍କ ପଦଯାତ୍ରା ଭାରତୀୟ ରାଜନୀତିରେ ପ୍ରଥମ ପଦଯାତ୍ରା ନୁହେଁ। ପୂର୍ବରୁ ଅନେକ ପଦଯାତ୍ରା ଭାରତରେ ସଫଳ ହୋଇଛି। ପଦଯାତ୍ରାରୁ ଯାଇ ସିଧା କ୍ଷମତା ହାସଲ କରିଥିବାର ଅନେକ ନଜର ରହିଛି। କିନ୍ତୁ ଭାରତୀୟ ରାଜନୀତିରେ ଏମିତି ବି ଉଦାହରଣ ଅଛି ଯେତେବେଳେ ଚାଣକ୍ୟମାନେ ଚନ୍ଦ୍ରଗୁପ୍ତଙ୍କୁ ଗାଦିଚ୍ୟୁତ କରି ନିଜେ ସିଂହାସନରେ ବସିବାକୁ ଚେଷ୍ଟା କରନ୍ତି ସେତେବେଳେ ଚିତ୍‌ପଟାଙ୍ଗ ଅବଶ୍ୟ ମାରନ୍ତି। ପ୍ରଶାନ୍ତଙ୍କ ନଜରରେ ନନ୍ଦ ବଂଶ କିଏ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Tags: #Politics #IndianPolitics #PrasantKishor #Padyatra

Comment