ଓଡ଼ିଶାଲାଇଭ୍ ବ୍ୟୁରୋ

OSSC

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ହୋଇଥିବା ‘ଜୁନିୟର ଆକାଉଣ୍ଟାଣ୍ଟ’ ପ୍ରିଲିମିନାରି ପରୀକ୍ଷା ବାତିଲ ହୋଇଛି। ରବିବାର ଦିନ ହୋଇଥିବା ଏହି ପରୀକ୍ଷାକୁ ବାତିଲ କରାଯାଇଛି। ‘ଜୁନିୟର ଆକାଉଣ୍ଟାଣ୍ଟ’ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ଅନେକ ମୁଦ୍ରଣଜନିତ ତ୍ରୁଟି ଦେଖାଯାଇଥିଲା। ଏହାଫଳରେ ପରୀକ୍ଷାର୍ଥୀମାନେ ପ୍ରଶ୍ନଗୁଡ଼ିକୁ ଠିକ୍ ଭାବେ ବୁଝି ପାରିନଥିଲେ। ଏଥିଲାଗି ସେମାନେ ଠିକ ଉତ୍ତର ଲେଖି ପାରିନଥିଲେ। ଏବେ ଆଉଥରେ ଏହି ପରୀକ୍ଷା କରିବା ପାଇଁ ଓଏସଏସସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ପୂର୍ବରୁ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ‘ଜୁନିୟର ଆକାଉଣ୍ଟାଣ୍ଟ’ ପଦବୀ ପାଇଁ ପରୀକ୍ଷା ଓଡ଼ିଆ ଭାଷାରେ ହେବ ବୋଲି ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନେକ ପରୀକ୍ଷାର୍ଥୀ ଓଡ଼ିଆ ଭାଷାରେ ପରୀକ୍ଷା ଦେବେ ବୋଲି ଫର୍ମପୂରଣ କରିଥିଲେ। ତେବେ ପରୀକ୍ଷା ଦେବା ସମୟରେ ସେମାନେ ପ୍ରଶ୍ନରେ ଅନେକ ଶବ୍ଦ ଭୁଲ ଥିବା ଦେଖିବାକୁ ପାଇଥିଲେ। ପ୍ରଶ୍ନର ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହିତ ତାଳମେଳ ଖାଉ ନଥିଲା। ପ୍ରଶ୍ନଗୁଡ଼ିକୁ ବୁଝିବାକୁ ସେମାନଙ୍କୁ ଅନେକ ସମୟ ଲାଗିଥିଲା।

ଏନେଇ ପରୀକ୍ଷାର୍ଥୀମାନେ ଦାୟିତ୍ଵରେ ଥିବା ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏ ବିଷୟରେ ବିଶେଷ ଧ୍ୟାନ ଦେଇନଥିଲେ।  ଉପରସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଜଣାଯିବ ବୋଲି ସେମାନେ କହିଥିଲେ।

ଅନ୍ୟପଟେ ଓଏସଏସସି ଭଳି ସଂସ୍ଥା ଓଡ଼ିଆ ଭାଷାକୁ କିଭଳି କଦର୍ଥ କରୁଛି ସେ ନେଇ କିଛି ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ପ୍ରଶ୍ନ କରିଥିଲେ। ଏ ସମ୍ବନ୍ଧରେ ସମ୍ପୃକ୍ତ ଅଧିକାରୀଙ୍କ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ କହିଥିଲେ। ଏହି ‘ଜୁନିୟର ଆକାଉଣ୍ଟାଣ୍ଟ’ ପରୀକ୍ଷାକୁ ବାତିଲ କରାଯାଇ ଆଉଥରେ ପରୀକ୍ଷା କରାଯାଉ ବୋଲି ସେମାନେ ଦାବି କରିଥିଲେ।

 

‘ଜୁନିୟର ଆକାଉଣ୍ଟାଣ୍ଟ’ ପରୀକ୍ଷା ବାତିଲ ବାବଦରେ ଓଏସଏସସି ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି ପରୀକ୍ଷାର୍ଥୀଙ୍କୁ ଆଶ୍ଵସ୍ତ କରିଛି। ଏହାକୁ ନେଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ବହୁତ ଚିନ୍ତିତ ଥିଲେ। ଏବେ ନୂଆ ପରୀକ୍ଷା କେବେ କରାଯିବ ସେନେଇ ଓଏସଏସସି ପକ୍ଷରୁ ଖୁବଶୀଘ୍ର କୁହାଯିବ।

Tags: #OSSC #JuniorAccountantExam #OdiaQuestionPaper #PrintingError

LEAVE A REPLY

Please enter your comment!
Please enter your name here