ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ ଠାକୁରଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ରବିବାର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବା ପରେ ସୋମବାରଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା।

ଆଜି ସକାଳୁ ସକାଳୁ ରଥ ନିର୍ମାଣ ଲାଗି ନିୟୋଜିତ ବିଶ୍ଵକର୍ମା ମହାରଣା ଓ କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ଆବଶ୍ୟକୀୟ କାଠ ଭୋଇ ସେବାୟତମାନେ ଯୋଗାଇ ଦେଇଛନ୍ତି।

ଆସନ୍ତା ଜୁନ ମାସ ୨୦ ତାରିଖରେ ଅନୁଷ୍ଠି ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ବଡ଼ ଠାକୁରଙ୍କ ରଥ ନିର୍ମାଣ କାମର ଶୁଭାରମ୍ଭ କରାଯାଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲା। ଅନୁକୂଳ କାଠରେ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ କାମ ଅନୁକୂଳ କରାଯାଇଥିଲା।

ସେବାୟତଙ୍କ ଆନୁଷଙ୍ଗିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ବାହାର ଲୋକ ଯେପରି ରଥଖଳାକୁ ପଶିନପାରିବେ ସେଥିପାଇଁ କଟକଣା ଜାରି କରାଯାଇଛି।

Tags: #RathaYatra #ShreeKhetra #RathaNirman #RathaMakingProcess #Puri

LEAVE A REPLY

Please enter your comment!
Please enter your name here