ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ସଚେତନତାମୂଳକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନକ୍ଷମତା ଏବଂ ସାମାଜିକ ଭେଦଭାବ ବିଷୟକୁ ନେଇ ବିଭିନ୍ନ ନାଟକ ପ୍ରଦର୍ଶିତ ହୋଇଥିଲା।
‘ସ୍ୱାଭିମାନ’ ପକ୍ଷରୁ ପ୍ରଥମେ ଏପ୍ରିଲ ୧୯ ତାରିଖ ଦିନ ରସୁଲଗଡ଼ସ୍ଥିତ ଏସପ୍ଲାନେଡ ମଲ୍ ପରିସରରେ ନାଟକ ପରିବେଷଣ କରଯାଇଥିଲା। ଏଥିରେ ସ୍ୱାଭିମାନ ଆନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଅଭିନୟ କରିଥିଲେ। ଏହାପରେ ଏପ୍ରିଲ ୨୨ ତାରିଖ ଦିନ ତାରିଖରେ ମାର୍କେଟ ବିଲ୍ଡିଂ ପରିସରରେ ମଧ୍ୟ ନାଟକ ପରିବେଷଣ ହୋଇଥିଲା।

ଦୁଇଦିନ ଧରି ହୋଇଥିବା ଏହି ପଥପ୍ରାନ୍ତ ନାଟକରେ ବିଭିନ୍ନ ଭିନ୍ନକ୍ଷମତା ଯେପରି ଅଟିଜିମ୍, ହେମୋଫିଲିଆ, ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟିବାଧିତ ବିଷୟରେ ନାଟକ ପରିବେଷଣ ହୋଇଥିଲା। ଏଥିରେ ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି ସେ ସମ୍ପର୍କରେ ଦର୍ଶାଯାଇଥିଲା।
ଏହାଛଡ଼ା ଏହି ନାଟକରେ ଭିନ୍ନକ୍ଷମଙ୍କ ପାଇଁ ଆଇନରେ କ’ଣ ବ୍ୟବସ୍ଥା ରହିଛି ଏଥିସହ ସମ୍ମିଳିତ ଶିକ୍ଷାରେ ସେମାନଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା ସବୁ ରହିଛି, ସେହି ବିଷୟବସ୍ତୁକୁ ଆଧାର କରି ସ୍ବେଚ୍ଛାସେବୀମାନେ ସଚେତନତାମୂଳକ ନାଟକ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମେତ ସ୍ଵାଭିମାନର କାର୍ଯ୍ୟକର୍ତ୍ତା, ରମାଦେବୀ ବାଳିକା ବିଶ୍ଵବିଦ୍ୟାଳୟ, ନିଶ୍ଵାସ ଇନଷ୍ଟିଚ୍ୟୁଟ ଏବଂ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିଲେ।
Tags: #Swabhiman #RoadsidePlay #Disability #Awareness #Bhubaneswar


















