ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ଵ। ଭାରତର ବିଶିଷ୍ଟ ପରମାଣୁ ବିଜ୍ଞାନୀ ଡକ୍ଟର ଅଜିତ କୁମାର ମହାନ୍ତି ଏବେ ଭାରତୀୟ ଆଣବିକ ଶକ୍ତି ବିଭାଗର ନୂଆ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏହାଛଡ଼ା ସେ ଆଣବିକ ଶକ୍ତି କମିସନର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ଵ ତୁଲାଇବେ। ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ଘୋଷଣା କରାଯାଇଛି।
ଡକ୍ଟର ଅଜିତ କୁମାର ମହାନ୍ତି ୨୦୨୫ ମସିହା ଅକ୍ଟୋବର ମାସ ଯାଏଁ ଆଣବିକ ଶକ୍ତି ବିଭାଗର ସଚିବ ରହିବେ। ଏହି ଦାୟିତ୍ଵ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ସେ ବର୍ତ୍ତମାନ ଆଣବିକ ଶକ୍ତି ବିଭାଗର ସଚିବ ଥିବା କମଲେଶ ନୀଳକଣ୍ଠ ବ୍ୟାସଙ୍କ ସ୍ଥାନ ଗ୍ରହଣ କରିବେ।
ଡକ୍ଟର ଅଜିତ କୁମାର ମହାନ୍ତି ଆଣବିକ ଶକ୍ତି କମିସନର ଅଧ୍ୟକ୍ଷ ହେବା ପୂର୍ବରୁ ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର (ବିଏଆରସି) ନିର୍ଦେଶକ ଥିଲେ। ଏହା ପୂର୍ବରୁ ସେ କଲିକତାର ଶାହ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ଫିଜିକ୍ସର ମଧ୍ୟ ନିର୍ଦେଶକ ରହିଥିଲେ। ଏହାବ୍ୟତୀତ ସେ ପରମାଣୁ ବିଜ୍ଞାନ କ୍ଷେତ୍ରରେ ବଡ଼ ବଡ଼ ଅନୁଷ୍ଠାନରେ ଗରୁତ୍ଵପୂର୍ଣ୍ଣ ପଦରେ କାମ କରି ବିଶ୍ଵ ସ୍ତରରେ ପ୍ରସିଦ୍ଧି ଲାଭ କରିଛନ୍ତି।
ଡକ୍ଟର ଅଜିତ କୁମାର ମହାନ୍ତିଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ଖିରିପଦା ଗ୍ରାମରେ ୧୯୫୯ ମସିହାରେ ହୋଇଥିଲା। ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପାସ୍ କରି ୧୯୮୨ ମସିହାରେ ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଏହାପରେ ସେ ମୁମ୍ବାଇ ବିଶ୍ଵବିଦ୍ୟାଳୟରୁ ପରମାଣୁ ବିଜ୍ଞାନରେ ଅଧିକ ଗବେଶଣା କରି ଡକ୍ଟରେଟ୍ ପାଇଥିଲେ। ନିଜର ୪୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗରୁତ୍ଵପୂର୍ଣ୍ଣ ପଦବୀରେ ରହିଛନ୍ତି।
Tags: #DepartmentofAtomicEnergy #AtomicEnergyCommission #BARC #NuclearScience