ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କାହାକୁ କେଉଁଠି ଗୋଟେ ଅଟକିଯିବା ଦରକାର। କ୍ଷମତା ରାଜନୀତିରୁ ସନ୍ନ୍ୟାସ ନେବା ବେଳେ ଏହା ହିଁ ଥିଲା ଶରଦ ପାଓ୍ଵାରଙ୍କ ଶେଷ କଥା।

ଶରଦ ଗୋବିନ୍ଦ ରାଓ ପାଓ୍ଵାର। ୬୦ ବର୍ଷର ରାଜନୈତିକ ଜୀବନ। ଅଧିକାଂଶ ସମୟ ସେ କ୍ଷମତା ରାଜନୀତିରେ ରହିଛନ୍ତି। ଏନ୍‌ସିପିର ମୁଖ୍ୟ ପଦରୁ ଅପ୍ରତ୍ୟାଶିତ ଇସ୍ତଫା ତାଙ୍କ ପାଇଁ ଇଛାଧୀନ କି ବାଧ୍ୟତାମୂଳକ ଅବସର ତାହା କେବଳ ସେହିଁ କହିପାରିବେ। କିନ୍ତୁ ଦଳର ମୁଖିଆ ପଦରୁ ଇସ୍ତଫା ଦେବା ଅନେକ ରାଜନୈତିକ ଆଲୋଚନାକୁ ଖୋରାକ ଯୋଗାଇଛି। ନିଜ ପୁତୁରା ଅଜିତ ପାଓ୍ଵାରଙ୍କ ପାଇଁ ସେ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଅବଶ୍ୟ ଅଜିତ କହିଛନ୍ତି ଯେ ଶରଦ ନିଜ ଇଛାରେ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା କେବଳ ପଦରୁ, ରାଜନୈତିକ ଇସ୍ତଫା ଆଦୌ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଶରଦ ପଓ୍ଵାର।

ଶରଦଙ୍କ ଇସ୍ତଫା ରାଜନୈତିକ ସହଯୋଗୀମାନଙ୍କୁ ମଧ୍ୟ ଅଡୁଆରେ ପକାଇଦେଇଛି। ମହାରାଷ୍ଟ୍ରରେ ଏନ୍‌ସିପି, କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଦଳକୁ ନେଇ ଥିବା ମେଣ୍ଟର ଭବିଷ୍ୟତ କ’ଣ ହେବ ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କାରଣ କିଛି ଦିନ ହେଲା ଅଜିତଙ୍କର ବିଜେପି ପ୍ରୀତି ନେଇ ବହୁତ ଆଲୋଚନା ହେଉଛି। ଅଜିତ ଯଦି ଏନ୍‌ସିପିର ମୁଖ୍ୟ ହେବେ ତେବେ, ମେଣ୍ଟର ଭବିଷ୍ୟତ କ’ଣ ହେବ ସେ ହିଁ ସ୍ଥିର କରିବେ।

ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ କହିଛନ୍ତି, “ଶରଦଙ୍କ ଇସ୍ତଫା ଏକଦମ ଅପ୍ରତ୍ୟାଶିତ। ଶରଦ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରାଜନୀତିରେ ହିଁ ସକ୍ରିୟ ରହିବେ ବୋଲି ଆଶା ଥିଲା। ତେବେ ତାଙ୍କ ଇସ୍ତଫା ମେଣ୍ଟର ଭବିଷ୍ୟତ ଉପରେ କିଛି ପ୍ରଭାବ ପକାଇବ ନାହିଁ।”

ଏନ୍‌ସିପିର ମୁଖ୍ୟ କିଏ ହେବ ସେଥିପାଇଁ ଏକ କମିଟି ଗଠନ ହୋଇଛି। ଏହି କମିଟିରେ ପ୍ରଫୁଲ ପଟେଲ, ଅଜିତ ପାଓ୍ଵାର, ସୁନୀଲ ଠାକ୍‌ରେ, ଜୟନ୍ତ ପାଟିଲଙ୍କ ଭଳି ବରିଷ୍ଠ ନେତା ଅଛନ୍ତି। ତେବେ ଶରଦ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନାମ ନେଇ ନାହାନ୍ତି। କିଛି ଦିନ ତଳେ ସୁପ୍ରିୟା ସୁଲେ କହିଥିଲେ ଯେ, ୧୫ ଦିନ ମଧ୍ୟରେ ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣା ଘଟିବ। କ’ଣ ଘଟିବ ସେ ସେଦିନ କହିନଥିଲେ ମଧ୍ୟ ଏବେ ଶରଦଙ୍କ ଇସ୍ତଫା ତାଙ୍କ କଥାକୁ ବହୁତ ପ୍ରାସଂଗିକ କରିଦେଇଛି। କମିଟିରେ ସୁପ୍ରିୟାଙ୍କ ନାମ ନ ରହିବା ବି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶିବସେନା ନେତା ସଞ୍ଜୟ ରାଓତ ଏହି  ଇସ୍ତଫାକୁ ବାଲ୍ ଠାକରେଙ୍କ ଇସ୍ତଫା ସହ ତୁଳନା କରିଛନ୍ତି। ସେ କହିଛନ୍ତି, “ଇତିହାସର ପୁନରାବୃତ୍ତି ହୋଇଛି। କଳୁସିତ ରାଜନୀତିକୁ ନେଇ ଥରେ ବାଲ୍ ଠାକ୍‌ରେ ମଧ୍ୟ ଇସ୍ତଫା ଦେଇଥିଲେ। ପରେ କର୍ମୀ ଓ ସମର୍ଥକମାନଙ୍କ ଦୃଢ଼ ଦାବି ପାଇଁ ସେ ନିଜ ନିଷ୍ପତ୍ତି ବଦଳାଇ ଥିଲେ। ଶରଦ ପଓ୍ଵାର ମଧ୍ୟ ସେମିତି କିଛି କାରଣ ପାଇଁ ଇସ୍ତଫା ଦେଇପାରିଥାନ୍ତି ଓ ଏହାକୁ ପ୍ରତ୍ୟାହାର କରିବେ। ବାଲ୍ ଠାକ୍‌ରେଙ୍କ ପରି ଶରଦ ମଧ୍ୟ ମହାରାଷ୍ଟ୍ର ରାଜନୀତିର ଆତ୍ମା।”

ଶରଦଙ୍କ ଇସ୍ତଫା ଯଦି ରାଜନୈତିକ ସନ୍ୟାସ ହୋଇଥାଏ, ତେବେ ଏହା ଭାରତୀୟ ରାଜନୀତି ପାଇଁ ଏକ ବଡ଼ ଘଟଣା ହେବ। କଂଗ୍ରେସର ଅମାନିଆ ପୁଅ ଥିଲେ ଶରଦ। ଅନେକ ସମୟରେ ସେ କଂଗ୍ରେସରେ ବିଦ୍ରୋହ କରିଛନ୍ତି। କଂଗ୍ରେସଠାରୁ ଅଲଗା ହୋଇଛନ୍ତି। କିନ୍ତୁ ତାଙ୍କର ରାଜନୈତିକ ଜୀବନ ସବୁ ବେଳେ କଂଗ୍ରେସର ଚାରିପାଖେ ହିଁ ପରିକ୍ରମା କରିଛି। ସେ କଂଗ୍ରସରେ ଥାଇ ଏକାଧିକ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଛନ୍ତି।

କଂଗ୍ରେସ ଛାଡ଼ିବା ପରେ ମଧ୍ୟ ୟୁପିଏ ସରକାରରେ ସାମିଲ ହୋଇ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ଵ ନେଇଛନ୍ତି ପଓ୍ଵାର। ମହାରାଷ୍ଟ୍ରରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରି ବିଜେପିକୁ କ୍ଷମତା କେନ୍ଦ୍ରରୁ ଦୂରେଇ ରଖିବାର ମାଷ୍ଟର ପ୍ଲାନ୍ ଥିଲା ପଓ୍ଵାରଙ୍କର।

ଶେଷରେ ୧୯୯୯ ମସିହାରେ ସେ ସୋନିଆଙ୍କ ନେତୃତ୍ଵକୁ ବିରୋଧ କରି ସ୍ଵର ଉତ୍ତୋଳନ କରିଥିଲେ। ଏଥିରେ ତାଙ୍କର ସହଯୋଗୀ ଥିଲେ ତାରିକ ଅନ୍ଓ୍ଵାର ଏବଂ ପିଏ ସାଙ୍ଗମା। ୩ ବରିଷ୍ଠ ନେତା ମିଶି ଏନ୍‌ସିପି ଗଠନ କରିଥିଲେ। ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଏନ୍‌ସିପି ସଫଳତା ପାଇଥିଲା। ଏବେ ଏନ୍‌ସିପିର ରାଜ୍ୟସଭା ସାଂସଦ ଅଛନ୍ତି ଶରଦ ପାଓ୍ଵାର। ଆହୁରି ୩ ବର୍ଷ କାର୍ଯ୍ୟକାଳ ରହିଛି ଶରଦଙ୍କର। ଏନ୍‌ସିପି ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ପାଓ୍ଵାର କହିଛନ୍ତି ଯେ ସେ ସାମାଜିକ ଓ ରାଜନୈତିକ ଜୀବନରେ ସକ୍ରିୟ ରହିବେ। ଅଜିତ ପାଓ୍ଵାର ମଧ୍ୟ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ପରି ସେ ଦଳରେ ସକ୍ରୟ ରହିବେ।

Tags: #Politics #IndianPolitics #SaradPawar #NCPChiefSaradPawar #PowerPolitics

LEAVE A REPLY

Please enter your comment!
Please enter your name here