ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ଏହି ଉପନିର୍ବାଚନରେ ମତଦାନ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ସରବାହାଲର ୩୩ ନମ୍ବର ପିଙ୍କ ବୁଥରେ ଦୀପାଳି ଦାସ ଭୋଟ ଦେଇଥିଲେ। ନିଜ ପରିବାର ସହ ଆସି ଭୋଟ ଦେଇଥିଲେ ଦୀପାଳି।
ବୁଧବାର ସକାଳେ ଦୀପାଳି ଦାସ ଭୋଟ ଦେବା ପୂର୍ବରୁ ନିଜ ଘର ପାଖରେ ଥିବା ଗଣେଶ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ୧୦ଟା ୩୦ ସମୟରେ ସେ ନିଜ ପରିବାର ସହ ମତଦାନ କେନ୍ଦ୍ରକୁ ଯାଇଥିଲେ। ଦୀପାଳିଙ୍କ ସହ ତାଙ୍କ ମା’ ଓ ଭାଇ ମଧ୍ୟ ଭୋଟ ଦେବାକୁ ଆସିଥିଲେ। ପୋଲିଂ ବୁଥରେ ପହଞ୍ଚି ସେ ଧାଡ଼ିରେ ଠିଆ ହେବାପରେ ମତଦାନ କରିଥିଲେ।
“ଚଳିତବର୍ଷ ଝାରସୁଗୁଡ଼ା ଉପନିର୍ବାଚନରେ ଅନେକ ନୂଆ ଭୋଟର ରହିଛନ୍ତି। ଝାରସୁଗୁଡ଼ାର ଉନ୍ନତି ପାଇଁ ଭୋଟ ଦେବାକୁ ସେମାନେ ସମସ୍ତେ ଉତ୍ସାହିତ ଅଛନ୍ତି। ଆଗରୁ ଝାରସୁଗୁଡ଼ାବସୀ ମୋ ବାପାଙ୍କୁ ସମର୍ଥନ କରିଆସୁଥିଲେ। ମୋ ବାପା ଓ ଝାରସୁଗୁଡ଼ାବସୀଙ୍କ ଆଶୀର୍ବାଦ ମୋ ଉପରେ ଅଛି। ଝାରସୁଗୁଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଏହି ନିର୍ବାଚନର ବିପୁଳ ପରିମାଣରେ ଭୋଟ ଦେବାପାଇଁ ମୁଁ ସବୁ ଭୋଟରଙ୍କୁ ଅନୁରୋଧ କରୁଛି”, କହିଛନ୍ତି ଦୀପାଳି ଦାସ।
ଦୀପାଳି ଦାସଙ୍କ ପୂର୍ବରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ମତଦାନ କରିଥିଲେ। ସେ ଝାରସୁଗୁଡ଼ାର ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଜୁରାଟୀ କଲୋନିର ୭୦ ନମ୍ବର ବୁଥରେ ମତଦାନ କରିଥିଲେ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ବୁଥରେ ମତଦାନ ଚାଲିଛି। ଏହି ଉପନିର୍ବାଚନ ପରିଚାଳନା କରିବା ପାଇଁ ମୋଟ ୧୦୧୨ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ସବୁ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା ସହ ସମ୍ବେଦନଶୀଳ ବୁଥଗୁଡ଼ିକରେ ପୋଲିସ ପକ୍ଷରୁ ବ୍ୟପାକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଏହି ଉପନିର୍ବଚନରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।
Tags: #JharsugudaByElection #Voting #DeepaliDas #Voters #Politics #OdishaPolitics