ଓଡ଼ିଶାଲାଇଭ୍ ବ୍ୟୁରୋ
ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି। ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି। ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ ମନୋବଳ ଦ୍ୱାରା ଏହି ରୋଗକୁ ପରାସ୍ତ କରିହେବ ବୋଲି ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ୱ ରକ୍ତ କର୍କଟ ଦିବସ ଭାବେ ପାଳନ କରାଯାଉଛି। ରକ୍ତ କର୍ଟକ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଗୋଟିଏ ଥିମକୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ। ଚଳିତ ବର୍ଷର ଥିମ୍ ରହିଥିଲା ‘କ୍ଲୋଜ୍ ଦ କେୟାର ଗ୍ୟାପ୍’।
ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ହେମାଟୋପାଥୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡାକ୍ତର ହରପ୍ରସାଦ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ୩୦ ବର୍ଷ ମଧ୍ୟରେ ଭାରତରେ ହେମାଟୋଲୋଜି ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ଘଟିଛି। କ୍ୟାନ୍ସର ରୋଗୀ ସୁସ୍ଥ ହେଉନଥିବା ଲୋକଙ୍କ ମଧ୍ୟରେ ଯେଉଁ ଧାରଣା ରହିଛି ତାହା ଦୂର ହେବା ଉଚିତ। ଉପଯୁକ୍ତ ଚିକିତ୍ସା ସହ ଦୃଢ଼ ମନୋବଳ ଏହି ରୋଗକୁ ପରାସ୍ତ କରିପାରିବ ବୋଲି ସେ କହିଛନ୍ତି।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ କର୍କଟ ରୋଗରୁ ସୁସ୍ଥ ହୋଇଥିବା ରୋଗୀ ଅନ୍ୟ ରୋଗୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏବେ ରକ୍ତ କର୍କଟର ଚିକିତ୍ସା ସମ୍ଭବ ହୋଇପାରୁଛି ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ।
ଏହି ଅବସରରେ ହେମାଟୋଲୋଜି ଓ ହେମାଟୋଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରିୟଙ୍କା ସାମଲ୍ ନିଜ ବିଭାଗର ଚିକିତ୍ସା ସମ୍ପର୍କରେ ତଥ୍ୟ ରଖିଥିଲେ। ଏହି ତଥ୍ୟ ଅନୁସାରେ ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗର ଶିକାର ହେଉଛନ୍ତି। ୨୦୧୮ରୁ ସମ୍ ହସ୍ପିଟାଲ୍ରେ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୮ ଜଣ ରୋଗୀଙ୍କ କ୍ଷେତ୍ରରେ ଏହା ସମ୍ପନ୍ନ ହୋଇପାରିଛି।
ଶେଷରେ ହେମାଟୋଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରୀତିଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲ୍ୟାବ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରାଜେଶ ଭୋଳ, ହେମାଟୋଲଜି ବିଭାଗର ସର୍ଜରୀ ଆଇସିୟୁ ଇନ୍ଚାର୍ଜ ପ୍ରଫେସର ଡାକ୍ତର ସନ୍ତୋଷ ସିଂ, ହେମାଟୋଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଶିବାଙ୍ଗୀ ହରଙ୍ଖେଡା, ନର୍ସିଂ ସୁପରିଟେଣ୍ଡେଣ୍ଟ ମିନତୀ ମିଶ୍ର ଓ ସମ୍ ହସ୍ପିଟାଲ୍ର ଡିଜିଏମ ପୁଷ୍ପାଞ୍ଜଳି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Tags: #BloodCancer #WorldBloodCancerDay #Treatment #CloseTheCareGap