ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ଯାତ୍ରାବେଳେ ପୁରୀ ବଡ଼ଦାଣ୍ଡରେ ଅଘଟଣ ଦେଖିବାକୁ ମିଳିଛି। ପ୍ରଭୁ ବଳଭଦ୍ରଙ୍କ ତଳଧ୍ଵଜ ରଥ ଟଣାବେଳେ ମରିଚିକୋଟ ଛକ ନିକଟରେ ଦଳାଚକଟା ହୋଇ ୧୫ ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବା ସୂଚନା ମିଳିଛି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ତଳଧ୍ଵଜ ରଥ ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ପହଞ୍ଚିଥିଲା। ଏହି ସମୟରେ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଠେଲାପେଲା ଯୋଗୁଁ ରଥ ଟାଣୁଥିବା କିଛି ଭକ୍ତ ତଳେ ପଡ଼ିଯାଇଥିଲେ। ସେମାନଙ୍କ ଉପରେ ଲୋକମାନେ ଚଢ଼ିଯିବାରୁ ଏଥିରେ ୧୫ ଜଣ ବ୍ୟକ୍ତି ଆହତ ହୋଇଥିଲେ।
ଏହାପରେ ପୋଲିସ ଓ ଅନ୍ୟସୁରକ୍ଷା କର୍ମୀମାନେ ଭକ୍ତମାନଙ୍କୁ ଉଦ୍ଧାରକରି ପୁରୀ ମେଡିକାଲରେ ଭର୍ତ୍ତି କରାଇଥିଲେ। ବଡ଼ଦାଣ୍ଡରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଏବେ ଆହତମାନଙ୍କ ଚିକିତ୍ସା ଚାଲିଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଅନ୍ୟପଟେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବଡ଼ଦାଣ୍ଡ ଚଳଚଞ୍ଚଳ ହୋଇଛି। ୩ ରଥକୁ ଭକ୍ତମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟକୁ ନେଉଛନ୍ତି। ସବୁଠୁ ଆଗରେ ତଳାଧ୍ଵଜ ରଥ ଚାଲୁଥିବାବେଳେ ଏହା ପଛକୁ ଦେବଦଳନ ରଥ ରହିଛି। ଶେଷରେ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥରେ ବସି ଗୁଣ୍ଡିଚା ମନ୍ଦିର ନିକଟକୁ ଅଗ୍ରସର ହେଉଛନ୍ତି।
Tags: #SriGundichaJatra2023 #TaladhawjaRath #Accident #BadaDanda #Puri