ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପାଟଣାରେ ଏକାଠି ବସିଲେ, କିନ୍ତୁ ରାଜିନାମା ହେବ ସିମ୍‌ଲାରେ। ବିରୋଧୀ ମହାମେଣ୍ଟର ପରବର୍ତ୍ତୀ ସିମ୍‌ଲା ବୈଠକ ଉପରେ ପୂରା ଦେଶବାସୀଙ୍କ ନଜର।

ପାଟଣାରେ ବିରୋଧୀ ଏକାଠି ବସିଲେ। ଜୁନ ୨୩ ତାରିଖରେ ପାଟଣାରେ ବସିଥିବା ବିରୋଧୀଦଳଙ୍କ ବୈଠକରେ ବିଜେପି ବିରୋଧରେ ଏକାଠି ଲଢ଼ିବା ପାଇଁ ଆଲୋଚନା ହୋଇଛି। କିନ୍ତୁ ଆଲୋଚନାରେ ନା ସମସ୍ୟାର ସମାଧାନ ହୋଇଛି, ନା କିଛି ନିଷ୍କର୍ଷ ବାହାରିଛି। କୁହାଯାଇଛି ନିଷ୍ପତ୍ତି ପରବର୍ତ୍ତୀ ସିମ୍‌ଲାରେ ହେବାକୁ ଥିବା ବୈଠକରେ ନିଆଯିବ। ସିମ୍‌ଲାରେ ସତରେ ରାଜିନାମା ହେବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି।

ରାଜନୀତି ସମୀକ୍ଷକଙ୍କ ମତରେ ଏହି ମେଣ୍ଟରେ ଦୁଇଜଣ ଅଡୁଆ ହୋଇଛନ୍ତି, ଜଣେ ମମତା ଆଉ ଜଣେ କେଜ୍ରିଓ୍ଵାଲ। ଶୁକ୍ରବାର ଦିନ କେଜ୍ରିଓ୍ଵାଲଙ୍କ ବାର୍ଗେନିଂ ପଲିଟିକ୍ସ ମେଣ୍ଟକୁ ଆରମ୍ଭରୁ ଅଡୁଆରେ ପକାଇଦେଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିଓ୍ଵାଲ ବିଜେପିକୁ ବିରୋଧ କରିବା ପଛରେ ସାମଗ୍ରିକ ଉଦ୍ଦେଶ୍ୟ ଅପେକ୍ଷା ବ୍ୟକ୍ତିଗତ ଆକାଂକ୍ଷା ବେଶୀ ରହିଛି। ପଶ୍ଚିମବଙ୍ଗରେ କେନ୍ଦ୍ରର ମାତ୍ରାଧିକ ହସ୍ତକ୍ଷେପ ମମତାଙ୍କୁ ବିଜେପିର କଠୋର ବିରୋଧୀ କରିଛି। ଅନ୍ୟପଟେ ଆପ୍‌ର ଜାତୀୟ ରାଜନୈତିକ ଅଭିସନ୍ଧି ରହିଛି। ଦିଲ୍ଲୀର ବିବାଦୀୟ ଅର୍ଡିନାନ୍ସ ଯେପରି ରାଜ୍ୟସଭାରେ ପାରିତ ନହେବ ସେଥିପାଇଁ ଆପ୍ ଏହି ମେଣ୍ଟରେ ସାମିଲ ହୋଇଛନ୍ତି। କିନ୍ତୁ କଂଗ୍ରେସ ଦିଲ୍ଲୀ ଅର୍ଡିନାନ୍ସକୁ ବିରୋଧ କରିବାର ସମ୍ଭାବନା କ୍ଷୀଣ। କାରଣ ଦିଲ୍ଲୀ ରାଜଧାନୀ ହୋଇଥିବାରୁ ଏଠାରେ ଆଉ ଏକ ସରକାରକୁ ପୂର୍ଣ୍ଣ କ୍ଷମତା ସହ ସମାନ୍ତରାଳ ଶାସନ ପାଇଁ ସୁଯୋଗ ଦେବାକୁ କଂଗ୍ରେସ ମଧ୍ୟ ଚାହୁଁନାହିଁ।

ସ୍ଵାଭାବିକ ଭାବେ ଆସନକୁ ନେଇ ଅନେକ ବିବାଦର ସମ୍ଭାବନା ରହିଛି। କାରଣ ପଶ୍ଚିମବଙ୍ଗରେ ମମତା କଂଗ୍ରେସକୁ ବେଶୀ ଆସନ ଦେବା ସପକ୍ଷରେ ନାହାନ୍ତି। ଗତ ସାଧାରଣ ନିର୍ବାଚନରେ ଟିଏମ୍‌ସି ୫୨ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବା ବେଳେ ୨୨ଟି ଲୋକସଭା ଆସନ ମିଳିଥିଲା। ବିଜେପି ୪୨.୮୬ ପ୍ରତିଶତ ଭୋଟ୍ ପାଇବା ସହ ୧୮ଟି ଆସନ ଜିତିଥିଲା। ୨୦୧୪ ନିର୍ବାଚନ ତୁଳନାରେ ଟିଏମ୍‌ସି ୧୨ଟି ଆସନ ହରାଇଥିଲା।

ଏଥର କଂଗ୍ରେସ ସହାୟତାରେ ଅଧିକ ଆସନ ଜିତିବା ଲକ୍ଷ୍ୟରେ ଅଛନ୍ତି। ସେଥିପାଇଁ ମମତା ଯେଉଁ ଫର୍ମୁଲା ବାହାର କରୁଛନ୍ତି ସେଥିରେ କଂଗ୍ରେସ ପଶ୍ଚିମବଙ୍ଗ ସମେତ ଆଉ କେତେକ ପୂର୍ବ ଓ ଉତ୍ତର ଭାରତ ରାଜ୍ୟରେ ପୂରା ଅପ୍ରାସଙ୍ଗିକ ହୋଇପଡ଼ିବ। ତେଣୁ କଂଗ୍ରେସ ମମତାଙ୍କ ଫର୍ମୁଲାରେ ରାଜି ନହେବାର ସମ୍ଭାବନା ରହିଛି।

ମମତା ପଶ୍ଚିମବଙ୍ଗରେ କଂଗ୍ରେସ ଜିତିଥିବା ୪ଟି ଆସନ ସହ ଦ୍ଵିତୀୟ ସ୍ଥାନରେ ରହିଥିବା ଆସନ ଛାଡ଼ିପାରନ୍ତି ବୋଲି ରାଜନୈତିକ ମହିଲରେ ଚର୍ଚ୍ଚା ହେଉଛି। ଏହି ଫର୍ମୁଲାରେ ରାଜି ହେଲେ କଂଗ୍ରେସକୁ ଲଢ଼ିବା ପାଇଁ ୫ଟି ଆସନ ମିଳିପାରେ। କାରଣ ୪ଟି ଜିତିଥିବା ଆସନକୁ ଛାଡ଼ିଦେଲେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଦ୍ଵିତୀୟ ସ୍ଥାନରେ ରହିଥିଲା। ଗତ ନିର୍ବାଚନରେ ୪୨ ଆସନରୁ ୪୦ ଆସନରେ କଂଗ୍ରେସ ଲଢ଼ିଥିଲା। ପ୍ରାୟ ସବୁ ଆସନରେ ନିଜର ପ୍ରତିନିଧିତ୍ଵ ରଖିବାକୁ ଚେଷ୍ଟା କରିଥିଲା କଂଗ୍ରେସ। ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମାତ୍ର ୫ଟି ଆସନରେ କଂଗ୍ରେସ ସନ୍ତୁଷ୍ଟ ହୋଇ ନପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ମମତାଙ୍କ ଫର୍ମୁଲାରେ ବିହାରରେ ବି ବେଶୀ ସିଟ୍ ମିଳିବ ନାହିଁ କଂଗ୍ରେସକୁ। ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟରେ କଂଗ୍ରେସକୁ ଲଢ଼ିବା ପାଇଁ ମାତ୍ର ୫ଟି ଲୋକସଭା ଆସନ ମିଳିବ। କଂଗ୍ରେସ କେବଳ କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ନିଜର ଦବଦବା ରଖିବ। ୨୦୧୯ର କଂଗ୍ରେସର ନିର୍ବାଚନ ପ୍ରଦର୍ଶନକୁ ଦେଖି ମମତାଙ୍କ ଫର୍ମୁଲା ଅନୁସାରେ ସିଟ୍ ବଣ୍ଟନ ହେଲେ ଅଧିକରୁ ଅଧିକ ୨୩୦ ସିଟ୍ ମିଳିବ କଂଗ୍ରେସକୁ ଲଢ଼ିବା ପାଇଁ। ଏଥିରେ କଂଗ୍ରେସ ରାଜି ହେବ କି ନାହିଁ ତାହା ଉପରେ ନିର୍ଭର କରେ ସିମ୍‌ଲା ରାଜିନାମାର ରୂପରେଖ। ସର୍ବପୂରାତନ ପାର୍ଟି କଂଗ୍ରେସ ଗତ ୪ଟି ନିର୍ବାଚନରେ କେବେ ୪୦୦ରୁ କମ୍ ଆସନରେ ନିର୍ବାଚନ ଲଢ଼ିନାହିଁ।

୨୦୧୯ରେ କଂଗ୍ରେସ ୪୨୧, ୨୦୧୪ରେ ୪୬୪, ୨୦୦୯ରେ ୪୪୦ ଓ ୨୦୦୦ରେ ୪୦୦ ଆସନରେ ଲଢ଼ିଥିଲା। ଯଦି ଆଗାମୀ ନିର୍ବାଚନରେ ୩୦୦ରୁ ତଳକୁ ଆସନରେ କଂଗ୍ରେସ ନିର୍ବାଚନ ଲଢ଼େ ତେବେ ବିଜେପି ପାଇଁ ଏକ ବଡ଼ ସୁଯୋଗ ରହିବ। କାରଣ ଏବେ ବି ବିଜେପି ଅଧିକାଂଶ ଆସନରେ ଏକ ନମ୍ବରରେ ରହିଛି। ସେଠାରେ ମେଣ୍ଟରେ ଥିବା ବିରୋଧୀ ଦଳ କଂଗ୍ରେସକୁ କ’ଣ ସହାୟତା କରିପାରିବେ ଏବଂ ବିରୋଧୀ ଏକତା ମେଣ୍ଟର ତୃଣମୂଳ କର୍ମୀ ଦଳର ଶୀର୍ଷ ନେତୃତ୍ଵକୁ ମାନି କାମ କରିବେ କି ନାହିଁ, ତାକୁ ନେଇ ମଧ୍ୟ ସନ୍ଦେହ ରହିଛି।

ଆପର ସ୍ଵାର୍ଥ ପୂରଣ ନହେଲେ ଏହି ମେଣ୍ଟରେ ଆପ୍ ରହିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଆପର ରାଜନୈତିକ କ୍ଷେତ୍ର ଦିଲ୍ଲୀ, ପଞ୍ଜାବ, ହିମାଚଳ, ହରିଆଣା, ଗୋଆ ଓ ଗୁଜରାଟ ଭିତରେ ସୀମିତ ରହିଛି। ତେଣୁ ସଂଖ୍ୟା ଦୃଷ୍ଟିରୁ ଆପ୍ ଏକୁଟିଆ ଲଢ଼ିବା ବା ଏକାଠି ଲଢ଼ିବା ଭିତରେ ବେଶୀ କିଛି ଫରକ ନାହିଁ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

Tags: #Politics #IndianPolitics #Congress #BJP #SimlaMeeting

Comment