ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ରିମାଣ୍ଡରେ ଯିବେ ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ମଙ୍ଗଳବାର ଦିନ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଭୁବନେଶ୍ଵର ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିବାବେଳେ କୋର୍ଟ ୪ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଆଜି ଅଭିଯୁକ୍ତ ଅରୁଣ ମହାନ୍ତ, ମହମ୍ମଦ ଅମୀର ଖାନ୍ ଓ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ଡାକ୍ତରଖାନାରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାଁ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିବା ପରେ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ। ଦୀର୍ଘ ୫ ଦିନ ଧରି ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଗୁଡ଼େଇ ତୁଡ଼େଇ ୩ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥିଲା ସିବିଆଇ। କେତେବେଳେ ସାମ୍ନାସାମ୍ନି ତ କେତେବେଳେ ଏକୁଟିଆ ପ୍ରଶ୍ନ କରାଯାଇଥିଲା ଅଭିଯୁକ୍ତମାନଙ୍କୁ।

ଗତ ଜୁଲାଇ ୭ ତାରିଖରେ  ଅରୁଣ ମହାନ୍ତ, ମହମ୍ମଦ ଅମୀର ଖାନ୍ ଓ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ। ଏହା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେମାନଙ୍କୁ ହାଜର କରାଯିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ସିବିଆଇ। ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କୋର୍ଟ।

ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ? ଏହି ଦୁର୍ଘଟଣା ପାଇଁ ହୋଇଥିଲା କି ଷଡ଼ଯନ୍ତ୍ର? ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ସିବିଆଇ ଟିମ୍ ଚେଷ୍ଟା କରିଥିଲା। ଏହାରି ମଧ୍ୟରେ ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଅନେକ ତଥ୍ୟ ସିବିଆଇ ହାତରେ ଲାଗି ଥିବା କୁହାଯାଉଛି। ପୁଣି ୪ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତମାନଙ୍କଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ ସିବିଆଇ।

ଗତ ଜୁନ ୨ ତାରିଖରେ ବାହାନଗାଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିଲେ। ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା ଆଉ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏବେ ଯାଏଁ କିଛି ମୃତଦେହ ଚିହ୍ନଟ ହୋଇନପାରି ଏମ୍ସ ହସ୍ପିଟାଲରେ କଣ୍ଟେନରରେ ସଂରକ୍ଷିତ ରହିଛି।

ଏଭଳି ଏକ ଭୟଙ୍କର ଦୁର୍ଘଟଣା କାହା ଭୁଲ ଯୋଗୁଁ ଘଟିଗଲା ତା’ର କାରଣ ଖୋଜିବାକୁ ଖୋଳତାଡ଼ କରୁଛି ସିବିଆଇ।

Tag: #BahanagaTrainTragedy #Remand #CBICourtProduce

Comment