ଓଡ଼ିଶାଲାଇଭ୍ ବ୍ୟୁରୋ

ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ବୈଠକ ଚାଲୁଥିବାବେଳେ ମଙ୍ଗଳବାର ନୂଆଦିଲ୍ଲୀରେ ବିଜେପି ସମର୍ଥିତ ଏନଡିଏ ଦଳମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀଙ୍କ ବୈଠକକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଏନଡିଏ ଦଳମାନେ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏହି ବୈଠକରେ ଭାରତର ବିଭିନ୍ନ ରାଜ୍ୟର ପ୍ରାୟ ୩୮ଟି ଦଳର ନେତାମାନେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଅଧ୍ୟକ୍ଷତା କରିବେ। ଏନେଇ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ସୂଚନା ଦେଇଛନ୍ତି।

ଏହି ବୈଠକରେ ୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏ ଦଳଙ୍କ ନିର୍ବାଚନୀ ରଣନୀତିକୁ ନେଇ ବିଭିନ୍ନ ଆଲୋଚନା ହେବ। ଆସନ୍ତା ଲୋକସଭା ନିର୍ବାଚନରେ ବିରୋଧୀଙ୍କୁ କିଭଳି କାଉଣ୍ଟର କରାଯିବ ସେ ନେଇ ମଧ୍ୟ ଏଠାରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

“ଗତ କିଛି ବର୍ଷ ହେବ ଏନଡିଏର ପରିସର ବଢ଼ିଛି। ଆମ ସହ ଅନେକ ନୂଆ ଦଳ ଯୋଡ଼ି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ନୀତିର ସକାରାତ୍ମକ ପ୍ରଭାବ ପାଇଁ ଏହା ସମ୍ଭବ ହୋଇଛି। ଦେଶର ଗଣତାନ୍ତ୍ରିକ ଭାବନାକୁ ବଜାୟ ରଖିବା ଏବଂ ରାଜନୈତିକ ଚିନ୍ତାଧାରାକୁ ଆହୁରି ସୁଦୃଢ଼ କରିବା ପାଇଁ ଏନଡିଏ ଦଳମାନେ ଏକାଠି ଆସିଛନ୍ତି”, କହିଛନ୍ତି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା।

ମଙ୍ଗଳବାର ଏନଡିଏର ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ନେତା ସର୍ବାନନ୍ଦ ସୋନୱାଲ, ଏନସିପି ନେତା ଅଜିତ ପୱାର, ପ୍ରଫୁଲ୍ଲ ପଟେଲ, ଏଲଜେପି ନେତା ଚିରାଗ ପାଶୱାନ, ଆରଏଲଜେପି ମୁଖ୍ୟ ଉପେନ୍ଦ୍ର କୁଶୱାହା, ଶିବସେନା ନେତା ଦୀପକ କେସରକର, ଜମ୍ମୁ କଶ୍ମୀରର ଅପନି ପାର୍ଟିର ମୁଖ୍ୟ ଅଲତାଫ ବୁଖାରୀ ପ୍ରମୁଖ ଯୋଗ ଦେବେ।

ଅନ୍ୟପଟେ ଏହି ବୈଠକରେ ଏନପିପି, ଏମଏନଏଫ, ଏନପିଏଫ, ଏନପିପି ଉତ୍ତର ପୂର୍ବ ରାଜ୍ୟର ରାଜନୈତିକ ଦଳ ଏବଂ ବିଭିନ୍ନ ରାଜ୍ୟର ଅନେକ ଛୋଟ ଛୋଟ ଦଳର ନେତାମାନେ ମଧ୍ୟ ଯୋଗ ଦେବେ।

 

ପୂର୍ବରୁ ବିରୋଧୀ ଗୋଷ୍ଠୀ ଦୁଇ ଦୁଇଟି ବୈଠକ କରିସାରିଥିବାବେଳେ ଏନଡିଏ ଦଳମାନେ ଏବେ ଚଳଚଞ୍ଚଳ ହୋଇଛନ୍ତି। ଏନଡିଏର ଏହି ବୈଠକ ଦେଶର ରାଜନୈତିକ ମାହୋଲକୁ ସରଗରମ କରିଛି। ତେବେ ବୈଠକରେ କ’ଣ ନିଷ୍ପତ୍ତି ନିଆଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Tags: #NDAMeeting #NDAParties #2024GeneralElection #Politics #India

Comment