ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଦଳ ଭିତରେ ଅନୁଷ୍ଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ପ୍ରସ୍ତୁତ ହୋଇଛି ଆଗାମୀ ନିର୍ବାଚନ ପାଇଁ ରଣନୀତି I
ଶନିବାର ଦିନ କନ୍ଦଳ ଭିତରେ ଅନୁଷ୍ଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ସବୁଠାରୁ ବଡ଼କଥା ହେଲା କଂଗ୍ରେସ ଭବନ ପରିବର୍ତ୍ତେ ଏଥର ଭୁବନେଶ୍ୱରର ଏକ ହୋଟେଲରେ ବୈଠକ ହୋଇଛି।
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କ ନିଲମ୍ବନକୁ ଯେଉଁଭଳି ଭାବେ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି, ବୈଠକ ବେଳେ କାଳେ ସେଭଳି ଅପ୍ରୀତିକର ପରିସ୍ଥିତି ଉପୁଯିବ, ସେ ଆଶଙ୍କାରେ କଂଗ୍ରେସ ଭବନରେ ଏହି ବୈଠକ କରାଯାଇନଥିବା କୁହାଯାଉଛି।
ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ I କଂଗ୍ରେସର ଏହି ମାରାଥନ୍ ବୈଠକରେ ଏକାଠି ହୋଇଥିଲେ କଂଗ୍ରେସର ବରିଷ୍ଠ ନେତାମାନେI ବୈଠକରେ ନିର୍ବାଚନ ପାଇଁ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି। ଆଉ ସେହି ପ୍ରସ୍ତାବ ଅନୁସାରେ ଦଳ ଆଗକୁ ବଢ଼ିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଅନ୍ୟପଟେ ବୈଠକ ବେଳେ ଦୁଇ ନେତାଙ୍କ ନିଳମ୍ବନକୁ ନେଇ ବିବାଦ ଦେଖାଦେଇଥିଲେ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି ଦଳର ବରିଷ୍ଠ ନେତାମାନେ।
ପ୍ରଥମେ ରାଜନୈତିକ ବ୍ୟାପାର ବୈଠକ ହେବା ପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଶେଷରେ ରାଜ୍ୟ କଂଗ୍ରେସ ପଦାଧିକାରୀ ବୈଠକ ହୋଇଥିଲା। କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ ପ୍ରଚା କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ସମସ୍ତ ବିଧାୟକ, ସାଂସଦ ଏବଂ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।
ଏହି ବୈଠକରେ ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା ହୋଇଥିଲା। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚିଟଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା, ଛାତ୍ର ସଂସଦ ନିର୍ବାଚନ ଆଦି ପ୍ରସଂଗ ଉପରେ ଆଲୋଚନା ହୋଇଛି। ଏହାକୁ ଆଧାର କରି ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ପିସିସି ସଭାପତି କହିଛନ୍ତିI
ବୈଠକରେ ମୋକିମ-ଚିରଞ୍ଜୀବଙ୍କ ନିଲମ୍ବନ ଝଡ଼
କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଅନୁଷ୍ଠିତ ହୋଇଥିବା ରାଜନୈତିକ ବ୍ୟାପାର ବୈଠକରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କ ନିଲମ୍ବନକୁ ନେଇ ଝଡ଼ ଉଠିଥିଲା। ଏହି ପ୍ରସଂଗରେ ଦଳେ ନିଲମ୍ବନ ନିଷ୍ପତ୍ତି ବିରୋଧରେ ସ୍ଵର ଉଠାଇଥିବାବେଳେ ଅଧେ ଏହାକୁ ସମର୍ଥନ କରିଥିଲେ।
ରାଜସ୍ଥାନର ଗେହଲ-ପାଇଲଟଙ୍କ ବିବାଦ ଯେଉଁଭଳି ବିନା କାର୍ଯ୍ୟାନୁଷ୍ଠାନରେ ଆଲୋଚନା ମାଧ୍ୟମରେ ସମାଧାନ କରାଗଲା ଓଡ଼ିଶାରେ ସେ ନୀତି କାହିଁକି ପଣାଗଲା ନାହିଁ ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା।
ନିଲମ୍ବନକୁ ମୋକିମ-ଚିରଞ୍ଜୀବଙ୍କ ସମର୍ଥକଙ୍କ ବିରୋଧ
ଦଳ ବିରୋଧୀ କାର୍ଯ୍ୟ ପାଇଁ ଜୁଲାଇ ୧୫ ତାରିଖରେ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ଵାଳଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବନ କରିଥିଲା। ଏହି ନିଲମ୍ବନକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଉଭୟ ନେତାଙ୍କ ସମର୍ଥକମାନେ।
ଶୁକ୍ରବାର ଦିନ ଶତାଧିକ ସମର୍ଥକ କଂଗ୍ରେସ ଭବନ ଘେରାଉ କରିବା ସହ ଭବନ ଭିତରକୁ ଧସେଇ ପଶିଥିଲେ। ପିସିସି ସଭାପତିଙ୍କ ବିରୋଧରେ ନାରାବାଜି କରିବା ସହ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।
ଗତକାଲି ଭୁବନେଶ୍ଵର ଆଜି କଟକରେ ପ୍ରତିବାଦ
କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ଵାଳଙ୍କ ନିଲମ୍ବନକୁ ନେଇ ଶୁକ୍ରବାର ଦିନ ଉଭୟ ନେତାଙ୍କ ସମର୍ଥକ ହୋହାଲ୍ଲା କରି ପ୍ରତିବାଦ କରିଥିବାବେଳେ ଶନିବାର ଦିନ କଟକଠାରେ ନୀରବ ପ୍ରତିବାଦ କରିଛନ୍ତି। ହଜାରେରୁ ଅଧିକ କଂଗ୍ରେସ କର୍ମୀ ମୌନ ପ୍ରତିବାଦ କରି ଏହି ଦୁଇ ବରିଷ୍ଠ ନେତାଙ୍କ ନିଲମ୍ବନ ହଟାଇବାକୁ ଦାବି କରିଛନ୍ତି।
ଏଠାରେ ନିଜେ ମୋକିମ ଯୋଗ ଦେଇ ନିଜକୁ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ ବୋଲି କହିଥିଲେ।
“ମୁଁ କେବେ ଦଳ ବିରୋଧୀ କାର୍ଯ୍ୟ କରିନାହିଁ। ନିଲମ୍ବନ ସତ୍ତ୍ଵେ ମୁଁ କଂଗ୍ରେସରେ ଅଛି ଏବଂ ଆଗକୁ ରହିଛି। କିଛି ଲୋକ ଈର୍ଷା ପରାୟଣ ହୋଇ ଏଭଳି କରିଛନ୍ତି। ଆଶା କରୁଛି ଦଳ ଏହି ନିଷ୍ପତ୍ତି ଉପରେ ପୁନର୍ବାର ବିଚାରା କରିବ”, କହିଛନ୍ତି ମହମ୍ମଦ ମୋକିମ।
ଗୋଟିଏ ପଟେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନ୍ୟ ପଟେ ପ୍ରତିବାଦ ସଭା। ରାଜ୍ୟ କଂଗ୍ରେସରେ ଉପୁଜିଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ବିଭାଜନ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏହାର ପ୍ରଭାବ ଆଗାମୀ ୨୦୨୪ ନିର୍ବାଚନ ବେଳେ କଂଗ୍ରେସକୁ ଆହୁରି ଦୁର୍ବଳ କରିପାରେ ବୋଲି ମତ ଦେଉଛନ୍ତି ରାଜନୈତିକ ସମୀକ୍ଷକମାନେ।
ଏପଟେ କିନ୍ତୁ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବାବେଳେ ଦଳ ମଧ୍ୟରେ ସବୁଠିକ୍ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ରାଜ୍ୟ କଂଗ୍ରେସରେ ଦେଖାଦେଇଥିବା ଅନ୍ତଃକନ୍ଦଳ ଛିଡ଼ିବା ବଦଳରେ ଏବେ ବଢ଼ିବାକୁ ଲାଗିଛି। ଗୋଟିଏ ଦଳ ଭିତରେ ଦେଇଖିବାକୁ ମିଳୁଛି ଏକାଧିକ ଗୋଷ୍ଠୀ। ଯାହା ଆଗାମୀ ନିର୍ବାଚନ ଲାଗି ଶୁଭ ଲକ୍ଷଣ ନୁହେଁ ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି।
Tags: #Politics #OdishaPolitics #Congress #StateExecutiveBodyMeeting

















