ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତି ପାଇଁ ଆରମ୍ଭ ହୋଇଥିବା ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରି ଏବେ ହୁ ହୁ ହୋଇ ଜଳୁଛି ମଣିପୁର।
ଜାତି ମାନ୍ୟତାକୁ କେନ୍ଦ୍ର କରି ପୂର୍ବୋତ୍ତର ରାଜ୍ୟ ମଣିପୁରରେ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି। ଏହି ବିବାଦ ଲାଗିଛି କୁକି ଏବଂ ମୈତେଇ ସମ୍ପ୍ରଦାୟଙ୍କ ମଧ୍ୟରେ। ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଦାବିକୁ ନେଇ ଆରମ୍ଭ ହୋଇଥିବା ବିରୋଧ ହିଂସାକାଣ୍ଡରେ ବଦଳିଛି। ଦୁଇ ଗୋଷ୍ଠୀଙ୍କ ପାଇଁ ଜଳୁଥିବା ମଣିପୁରର ନିଆଁ ଏବେ ସମଗ୍ର ଦେଶକୁ ଉତ୍ତପ୍ତ କରିଛି।
କେମିତି ଆରମ୍ଭ ହେଲା ବିବାଦ?
୨୦୨୩ ମେ’ ୩ ତାରିଖ, ବୁଧବାର ଦିନ ମଣିପୁରରେ ଜାତି ପାଇଁ ଆରମ୍ଭ ହୋଇଥିଲା ମହାଭାରତ। ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଦାବି ଉପରେ ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଣିପୁର ହାଇକୋର୍ଟର ଆକ୍ଟିଙ୍ଗ ଚିଫ ଜଷ୍ଟିସ ଏମଭି ମୁରଲୀଧରନ।
ମେ’ ୩ ତାରିଖ ଦିନ ଅଲ ଟ୍ରାଇବାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ମଣିପୁର(ଏଟିଏସୟୁଏମ) ‘ଆଦିବାସୀ ଏକତା ଅଭିଯାନ’ ଆରମ୍ଭ କରିଥିଲା। ଏହି ଅଭିଯାନ ସମୟରେ ହିଁ ମଣିପୁର ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା।
ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ଦାବିରେ ମଣିପୁରର ଛାତ୍ର ସଂଗଠନ ଚୁରଚାନ୍ଦପୁର ଜିଲ୍ଲାର ତୋରବଙ୍ଗ ଅଞ୍ଚଳରୁ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ସାମିଲ ହୋଇଥିଲେ ହଜାର ହଜାର ବିକ୍ଷୋଭକାରୀ।
ଏହି ସମୟରେ ଆଦିବାସୀ ଏବଂ ଅଣଆଦିବାସୀ ସମ୍ପ୍ରଦାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ହିଂସାରେ ପରିଣତ ହୋଇଥିଲା।
ଚୁରାଚାନ୍ଦପୁରରେ ଅଧିକାଂଶ ଘର ଭଙ୍ଗାରୁଜୁ କରିବା ସହ ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ପରିସ୍ଥିତି ଏତେ ବିଗିଡ଼ି ଗଲା ଯେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସହାୟତା ଲୋଡ଼ିବାକୁ ପଡ଼ିଲା।
ହିଂସାକାଣ୍ଡ ବେଳେ ଘରଦ୍ଵାର ଭାଙ୍ଗିବା ସହ ଲୋକଙ୍କ ଘରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ। ଆରମ୍ଭ ଦିନ ମଣିପୁରର ୮ଟି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବାବେଳେ ଏ ସବୁ ଜିଲ୍ଲାରେ କର୍ଫ୍ୟୁ ଲାଗିଥିଲା।
କ’ଣ ରହିଛି ବିବାଦର କାରଣ?
ମଣିପୁରରେ ମୁଖ୍ୟତଃ ୩ଟି ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ମୈତେଇ, ନାଗା ଏବଂ କୁକି। ଏମାନଙ୍କ ମଧ୍ୟରୁ ନାଗା ଏବଂ କୁକି ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ମୈତେଇ ହେଉଛି ଅଣଆଦିବାସୀ ସମ୍ପ୍ରଦାୟ। ବିଶେଷ କରି ମୈତେଇ ହିନ୍ଦୁ ଧର୍ମାବଲମ୍ବୀ। ନାଗା ଏବଂ କୁକି ରାଜ୍ୟରେ ଅନୁସୂଚିତ ଜାତିର ମାନ୍ୟତା ପାଇଛି।
ମଣିପୁରରେ ଏକ ଆଇନ ରହିଛି, ଯେଉଁଥିରେ ଆଦିବାସୀମାନଙ୍କ ପାଇଁ କିଛି ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଆଦିବାସୀମାନେ ହିଁ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ। ମୈତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନଥିବାରୁ ସେମାନେ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ ନାହିଁ।
ନାଗା ଏବଂ କୁକୁ ଭଳି ଆଦିବାସୀ ସମ୍ପ୍ରଦାୟର ଲୋକ ଚାହୁଁଛନ୍ତି ମୈତାଇ ଲୋକମାନେ ଘାଟି ଅଞ୍ଚଳରେ ରୁହନ୍ତୁ। ମୈତେଇ ଲୋକଙ୍କ ସହ ନାଗା ଏବଂ କୁକୁଙ୍କର ଏହାକୁ ନେଇ ମୂଳରୁ ହିଁ ବିବାଦ ରହିଛି। କିନ୍ତୁ ମୈତେଇ ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ପାଇଁ ଦାବି କରିଆସୁଛନ୍ତି।
ସାରା ଦେଶକୁ ଲଜ୍ଜିତ କଲା ମଣିପୁର ଘଟଣା
ମଣିପୁରରେ କୁକି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସାରା ଦେଶ ଏହାକୁ ନେଇ ଲଜ୍ଜିତ ଅନୁଭବ କଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ମଧ୍ୟ କରାଗଲା। ସମସ୍ତଙ୍କୁ ଲଜ୍ଜିତ କରିବା ଭଳି ଏକ ଭିଡିଓ ଜୁଲାଇ ୧୯ ତାରିଖରେ ଭାଇରାଲ ହୋଇଥିଲା। ଏହି ଘଟଣା ମେ’ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ପରର ବୋଲି କୁହାଯାଉଛି।
କୁକି ସମ୍ପ୍ରଦାୟର ଏହି ଦୁଇ ମହିଳାଙ୍କ ସହ ମୈତେଇ ସମ୍ପ୍ରଦାୟର କିଛି ବ୍ୟକ୍ତି ଅସଦାଚରଣ କରିବା ସହ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିବା ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ଏକ ମାସ ପରେ ଗତ ଜୁନ ୨୧ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା। ଆଇପିସି ଧାରା ୧୫୩ ଏ, ୩୯୮, ୪୨୭, ୪୪୮, ୩୦୨, ୩୫୪, ୩୬୪, ୩୨୬, ୩୭୬, ୩୪ ସହ ୨୫(୧ସି) ଧାରାରେ ମାମଲା ରୁଜୁ ହୋଇଛି।
ଏହି ଅମାନବୀୟ ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଭିଡିଓକୁ ଆଧର କରି ଜୁଲାଇ ୨୦ ତାରିଖରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହା ପରେ ଆଉ ୩ ଜଣ ଗିରଫ ହୋଇଥିଲେ।
ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡ ଥମିବାର ନାଁ ନେଉ ନାହିଁ। ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଘଟଣା। ମଣିପୁରରେ ଲାଗି ରହିଥିବା ବିବାଦର କେବେ ଏବଂ କେମିତି ଅନ୍ତ ହେବ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।
Tags: #Violence #ViolenceforCaste #Manipur #SCST #Kuki #Meitei








