ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାଏର ପୁନର୍ବିଚାର ଆବେଦନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି। ସୋମବାର ଏହି ମାମଲାରେ ରିଭ୍ୟୁ ଓ ରିଟ ପିଟିସନ ଖାରଜ କରିବା ସହ ନିଜର ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ।
ଏବେ ଏହି ରାୟ ଆସିବା ପରେ ଓପିଏସସି ପକ୍ଷରୁ ଏଏସଓ ପରୀକ୍ଷା ପାଇଁ ଆଉଥରେ ମେରିଟ ଲିଷ୍ଟ ବାହାରିବ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ବଦଳରେ ପରୀକ୍ଷାରେ ମୋଟ ନମ୍ବର ଆଧାରରେ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇବ।
ଓଡ଼ିଶା ହାଇକୋର୍ଟ ପୂର୍ବରୁ ଏହି ମାମଲାରେ ଦାଏର ଉଭୟ ରିଭ୍ୟୁ ଓ ରିଟ ପଟିସନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ ଆଦିତ୍ୟ ମହାପାତ୍ର ଏହି ରାୟ ଶୁଣାଇଥିଲେ।
ଗତବର୍ଷ ନଭେମ୍ବର ମାସରେ ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାର ମେରିଟ ଲିଷ୍ଟ ବାହାରିଥିଲା। ଏଥିରେ ୧ ହଜାର ୧୦୪ଜଣ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଟେଷ୍ଟ ପାଇଁ ଚୟନ କରାଯାଇଥିଲା। ତେବେ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ଅନୁସାରେ ମେରିଟ ଲିଷ୍ଟ ପ୍ରସ୍ତୁତ ହୋଇଥିବାରୁ ବିବାଦ ଦେଖା ଦେଇଥିଲା। ଏହାକୁ ନେଇ ହାଇକୋର୍ଟରେ କିଛି ପରୀକ୍ଷାର୍ଥୀ ଅବେଦନ କରିଥିଲେ।
ଓଡ଼ିଶା ହାଇକୋର୍ଟ ଗତ ମେ’ ୧୯ ତାରିଖରେ ମାମଲାର ଶୁଣାଣି କରି ପ୍ରକାଶିତ ମେରିଟ୍ ଲିଷ୍ଟ ଖାରଜ କରିଥିଲେ। ଏହାସହ ପରୀକ୍ଷାର ମୋଟ ନମ୍ବର ଆଧାରରେ ନୂଆ ମେରିଟ ଲିଷ୍ଟ ବାହାର କରିବାକୁ ଓପିଏସସିକୁ ନିର୍ଦେଶ ଦେଇଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ଏଏସଓ ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇଥିଲେ।
ଏହି ରାୟ ଆସିବା ପରେ ପ୍ରଥମ ମେରିଟ ଲିଷ୍ଟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ କିଛି ପ୍ରାର୍ଥୀ ଓପିଏସସି କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ। ଏହାପରେ ରାୟ ଉପରେ ପୁନର୍ବିଚାର କରିବା ପାଇଁ ଓଡ଼ିଶା ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ସୋମବାର ଏଗୁଡ଼ିକୁ ଖାରଜ କରି ନିଜର ପୂର୍ବ ରାୟକୁ କାଏମ ରଖିଛନ୍ତି।
ଓଡ଼ିଶା ସଚିବାଳୟରେ ୭୯୬ଟି ଏଏସଓ ପଦ ପାଇଁ ୨୦୨୨ ମସିହାରେ ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ।
Tags: #ASOExam #OdishaHighcourt #Examination #Employment #OPSC




















