ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟ ୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଶୁଣାଣି କରି ଶୀଘ୍ର ନୂଆ ମେରିଟ ଲିଷ୍ଟ ବାହାର କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।
ଓଡ଼ିଶା ହାଇକୋର୍ଟ ଗତ ମେ’ ମାସ ୧୯ ତାରିଖରେ ଏଏସଓ ପରୀକ୍ଷା ମାମଲାରେ ଦେଇଥିବା ରାୟରେ ଦୁଇ ମାସ ମଧ୍ୟରେ ନୂଆ ମେରିଟ ଲିଷ୍ଟ ଜାରି କରିବାକୁ ଓପିଏସସିକୁ କହିଥିଲେ। ଏହି ନିର୍ଦେଶ କାର୍ଯ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୋଧରେ ଅଦାଲତ ଅବମାନନା ମାମଲା କରିଥିଲେ କିଛି ପରୀକ୍ଷାର୍ଥୀ। ଏହାକୁ ନେଇ ହାଇକୋର୍ଟ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ପୂର୍ବେ ମେ’ ମାସରେ ଏଏସଓ ପରୀକ୍ଷାର ମୋଟ ନମ୍ବର ଆଧାରରେ ନୂଆ ମେରିଟ ଲିଷ୍ଟ ବହାର କରିବା ପାଇଁ ହାଇକୋର୍ଟଙ୍କ ରାୟ ଆସିଥିଲା। ପରେ କିଛି ପରୀକ୍ଷାର୍ଥୀ ଏହା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହାକୁ ହାଇକୋର୍ଟ ଗତ ଜୁଲାଇ ୩୧ ତାରିଖରେ ଖାରଜ କରିଦେଇଥିଲେ।
ଓଡ଼ିଶା ସଚିବାଳୟରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ।
ଏହାପରେ ୨୦୨୨ ନଭେମ୍ବର ମାସରେ ଓପିଏସସି ପକ୍ଷରୁ ଏଏସଓ ନିଯୁକ୍ତି ପରୀକ୍ଷାର ମେରିଟ ଲିଷ୍ଟ ବାହାରିଥିଲା। ଏଥିରେ ୧୧୦୪ଜଣ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଟେଷ୍ଟ ପାଇଁ ଚୟନ କରାଯାଇଥିଲା। ତେବେ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ଅନୁସାରେ ମେରିଟ ଲିଷ୍ଟ ପ୍ରସ୍ତୁତ ହୋଇଥିବାରୁ ବିବାଦ ଦେଖା ଦେଇଥିଲା।
Tags: #ASOExam #OdishaHighcourt #Examination #Employment #OPSC




















