ଓଡ଼ିଶାଲାଇଭ୍ ବ୍ୟୁରୋ

ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଭୁବନେଶ୍ଵରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଶାହ।
ଶନିବାର ପୂର୍ବାହ୍ନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଅପରାହ୍ଣରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଗୃହମନ୍ତ୍ରୀ। ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ତରଫରୁ ଅମିତ ଶାହଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ଭୋଜନ କରିଥିଲେ ଅମିତ ଶାହ। ଏହା ପରେ ଆରମ୍ଭ ହୋଇଥିଲା ରୁଦ୍ଧ ଦ୍ଵାର ବୈଠକ।
ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସହ ଆଲୋଚନା କରି ନିର୍ବାଚନରେ ବିଜୟୀ ହେବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ଶାହ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ରୁଦ୍ଧ ଦ୍ଵାର ବୈଠକ।
“ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ବୁଥ୍ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଗୃହମନ୍ତ୍ରୀ। ଓଡ଼ିଶାରେ ଦୁର୍ନୀତି ଭ୍ରଷ୍ଟାଚାରର ସରକାର ବିରୋଧରେ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି ଶାହ। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ବିଜେପି ବ୍ଲକସ୍ତରରେ ଏକ ବିରାଟ ଆନ୍ଦୋଳନ କରିବ। ଅବହେଳିତ, ଅତ୍ୟାଚାରିତ ଓ ତଳସ୍ତରରେ ଥିବା ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ଆହ୍ଵାନ ଦେଇଛନ୍ତି ଶାହ”, କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ମୋଦୀ ସରକାର ୯ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ୟୁପିଏ ସରକାର ଅମଳରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ ୯୩ହଜାର କୋଟି ଟଙ୍କା ମିଳିଥିଲା। କେନ୍ଦ୍ର ସରକାର ଓଡ଼ିଶାକୁ ଭଲ ପାଇବା ଏବଂ ଗୁରୁତ୍ୱ ଦେବାର ଏହା ହେଉଛି ଉଦାହରଣ। ଏଥିପାଇଁ ବୈଠକରେ ମୋଦୀଙ୍କୁ ଧନ୍ୟବାଦ ଦିଆଗଲା ବୋଲି କହିଛନ୍ତି ମନମୋହନ ସାମଲ। 
“ବିଜେପି କର୍ମକର୍ତ୍ତାଙ୍କ ଭିତରେ କୌଣସି ଦ୍ଵନ୍ଦ୍ଵ ନାହିଁ। ନିଜ ଅଞ୍ଚଳରେ କ’ଣ ସମସ୍ୟା ଆମେ ନିଜେ ଜାଣିଛୁ। ତାକୁ ଦୂର କରି ଆଗାମୀ ନିର୍ବାଚନ ଆମେ ଏକାକୀ ଲଢ଼ିବୁ। ମେଣ୍ଟର କୌଣସି ସମ୍ଭାବନା ନାହିଁ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ।
ସଂଗଠନ ବିସ୍ତାର, ଆନ୍ଦୋଳନ ସହ ଆଗାମୀ ନିର୍ବାଚନରେ ଭଲ ରେଜଲ୍ଟ ପାଇଁ ଗୁରୁମନ୍ତ୍ରଣା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।
Tags: #Politics #OdishaPolitics #AmitShah #OdishaVisit #BJP #BJD


















