ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମଥର ପାଇଁ ଦେଶର ରେଳ ମାନଚିତ୍ର ସହ ଯୋଡ଼ି ହେବାକୁ ଯାଉଛି ଦେବଗଡ଼ ଜିଲ୍ଲା। ଝାରସୁଗୁଡ଼ା ଓ ଦେବଗଡ଼ର ବାରକୋଟ ମଧ୍ୟରେ ନୂଆ ରେଳ ଲାଇନ ନିର୍ମାଣ ଲାଗି ଫାଇନାଲ ଲୋକେସନ୍ ସର୍ଭେ ପାଇଁ ଅନୁମୋଦନ କରିଛି ରେଳ ମନ୍ତ୍ରାଳୟ। ଏହି ୧୬୦ କିଲୋମିଟର ରେଳ ଲାଇନ ସର୍ଭେ କାମ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେବ।

ଦେବଗଡ଼ ଜିଲ୍ଲାରେ ଏହି ନୂଆ ରେଳ ଲାଇନ ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏହି ରେଳ ପ୍ରକଳ୍ପ ବାବଦରେ ଜୁଲାଇ ୧୦ ତାରିଖରେ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

“କେନ୍ଦ୍ର ସରକାର ଓଡ଼ିଶାରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ଆସିଛନ୍ତି। ଏହି ନୂଆ ରେଳ ଲାଇନ ଦେବଗଡ଼କୁ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ସହ ସଂଯୋଗ କରିବ। ଏହାଦ୍ୱାରା ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିର ବିକାଶ ହୋଇ ଆର୍ଥିକ ଅଭିବୃଦ୍ଧି ଘଟିବ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି ମଧ୍ୟ କହିଛନ୍ତି, “ଦେବଗଡ଼ର ଏହି ନୂଆ ରେଳ ପ୍ରକଳ୍ପ ମାଧ୍ୟମରେ ଚାଷୀ ଭାଇମାନେ ଉପକୃତ ହେବାସହ ଜିଲ୍ଲାର ପର୍ଯ୍ୟଟନର ଅଧିକ ବିକାଶ ହେବ। ଏହି ରେଳ ପ୍ରକଳ୍ପର ସର୍ଭେକୁ ଅନୁମତି ଦେଇ ଦେବଗଡ଼ବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।”

ବାରକୋଟ-ଝାରସୁଗୁଡ଼ା ନୂତନ ରେଳ ଲାଇନ୍ ପାଇଁ ଲୋକେସନ ସର୍ଭେ କରାଯାଇ ଏହାର ଡିପିଆର୍ ପ୍ରସ୍ତୁତ କରାଯିବ। ସର୍ଭେ ପାଇଁ ଅନୁମତି ମିଳିଥିବା ନେଇ ପୂର୍ବତଟ ରେଳପଥର ଜେନେରାଲ୍ ମ୍ୟାନେଜରଙ୍କୁ ଅବଗତ କରାଯାଇଛି।

Tags: #Barkot-JharsugudaRailwayProject #FinalSurvey #Deogarh #IndianRailways

Comment