ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ନାଗରିକଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଗୋଲଡେନ ଜେନେରେସନ ହେଲ୍ପଲାଇନ ବ୍ୟବସ୍ଥା। ୧୮୦୦୫୭୨୫୦୦୦ ନମ୍ବରକୁ କଲ୍ କରି ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ସେବାର ସୁବିଧା ପାଇପାରିବେ ବରିଷ୍ଠ ନାଗରିକ।
ହସ୍ପିଟାଲ ଗଲେ ଆଉ ବରିଷ୍ଠ ନାଗରିକଙ୍କୁ ହଇରାଣ ହରକତ ହେବାକୁ ପଡ଼ିବନି। ସ୍ଵାସ୍ଥ୍ୟଜନିତ ସମସ୍ୟା ନେଇ ଏଣିକି ସିଧାସଳଖ ହେଲ୍ପଡେସ୍କରେ ଯୋଗାଯୋଗ କରି ଚିକିତ୍ସା ସୁବିଧା ପାଇପାରିବେ ବରିଷ୍ଠ ନାଗରିକ। ଆବଶ୍ୟକସ୍ଥଳେ ସେମାନଙ୍କୁ ଘରୁ ଆଣିବା ଏବଂ ଛାଡ଼ିବା ପାଇଁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ରହିଛି।
ଚିକିତ୍ସା ସହ ଚିକିତ୍ସା ପରବର୍ତ୍ତୀ ଯତ୍ନ ମଧ୍ୟ ଏଠି ପ୍ରଦାନ କରାଯିବ। ଏଥିପାଇଁ ସ୍ଵତନ୍ତ୍ର ଭାବେ ୧୫ ଜଣିଆ ଟିମ ରହିଛନ୍ତି। ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ନିର୍ଦିଷ୍ଟ ଭାବେ ୪ ଜଣ ଡାକ୍ତର ଏବଂ ଟେକ୍ନିସିଆନ ମଧ୍ୟ ଅଛନ୍ତି। ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କୁ ମାନସିକ ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରରେ ସେବା ପ୍ରଦାନ କରିବା ଗୋଲଡେନ ଜେନେରେସନ ହେଲପ ଡେସ୍କର ମୂଳ ଲକ୍ଷ୍ୟ ରହିଛି। ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
“କମିଶନରେଟ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩୭ ହଜାର ବରିଷ୍ଠ ନାଗରିକ କମିଶନରେଟ ପୋଲିସ ପାଖରେ ପଞ୍ଜୀକୃତ ଅଛନ୍ତି। ତେବେ ସେମାନଙ୍କ ସ୍ଵାସ୍ଥ୍ୟକୁ ନେଇ ଏକ ବଡ଼ ଚିନ୍ତା ରହିଥିଲା। କିନ୍ତୁ କଳିଙ୍ଗ ହସ୍ପିଟାଲ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ବରିଷ୍ଠ ନାଗରିକଙ୍କ ପାଇଁ ବେଶ୍ ସହାୟକ ହେବ”, କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ।
“ଭେକ ଥିଲେ ଭିକ ମିଳେ। ଏଇଟା ଆରମ୍ଭ ମାତ୍ର। ହସ୍ପିଟାଲ ଭିତ୍ତିଭୂମି ଅଭିବୃଦ୍ଧି ସହ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ ଆମର ଲକ୍ଷ୍ୟ ରହିଛି। ଏବେ ପୁଣି ଥରେ ଡାକ୍ତରମାନେ ଆମ ପାଖକୁ ଫେରୁଛନ୍ତି”, କହିଛନ୍ତି କଳିଙ୍ଗ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାସ।
“କଳିଙ୍ଗ ହସ୍ପିଟାଲର ସ୍ଵତନ୍ତ୍ରତା ହେଲା ଏହା ଓଡ଼ିଶା ମାଟିରେ ସୃଷ୍ଟି, ଓଡ଼ିଆ ଲୋକଙ୍କ ଦ୍ଵାରା ନିର୍ମିତ, ଅଧ୍ୟକ୍ଷ, ସେୟାର ହୋଲଡର ସମସ୍ତେ ଓଡ଼ିଆ। ତେଣୁ ଓଡ଼ିଶାରେ ଉନ୍ନତମାନର ସ୍ଵାସ୍ଥ୍ୟସେବା ପ୍ରଦାନ କରିବା ଆମର ଲକ୍ଷ୍ୟ। ସବୁ ହସ୍ପିଟାଲର ଖରାପ ସମୟ ଥାଏ। କିନ୍ତୁ ଏବେ ଆମେ ସବୁ ବାଧାରୁ ବାହାରି ଆଗକୁ ବଢିଛୁ”, କହିଛନ୍ତି କଳିଙ୍ଗ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶିକା ନିଲାଞ୍ଜନା ମୁଖାର୍ଜୀ।
ଦୀର୍ଘ ୧୦ ବର୍ଷ ହେଲା ହସ୍ପିଟାଲ ପରିସରରେ ନିର୍ମାଣଧୀନ ବିଲ୍ଡିଂ କାମ ଚଳିତ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂତନ ବିଲଡିଂରେ ୪ଟା ମଡ୍ୟୁଲାର ଓଟି, ୩୦ଟି ଆଇସିୟୁ ବେଡ୍ ରହିବ। ସେହିପରି ଲିଭର ଟ୍ରାନ୍ସପ୍ଲାଣ୍ଟ ଉପରେ କାମ କରିବା ଆଗାମୀ ଲକ୍ଷ୍ୟ ବୋଲି କହିଛନ୍ତି ନିଲାଞ୍ଜନା ମୁଖାର୍ଜୀ। ବର୍ତ୍ତମାନ ଜଟଣୀ ଓ ଭବାନୀପାଟଣାରେ କଳିଙ୍ଗ ହସ୍ପିଟାଲର ଦୁଇଟି କ୍ଲିନିଂ ଆରମ୍ଭ ହୋଇଛି। ଖୁବଶୀଘ୍ର ଢେଙ୍କାନାଳ ଓ ସମ୍ବଲପୁରରେ ଆଉ ଦୁଇଟି କ୍ଲିନିଂ ଖୋଲିବାକୁ ହସ୍ପିଟାଲ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।
Tags: #SeniorCitizen #HelpDesk #KalingaHospital #Bhubaneswar