ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ପଦ ଫେରି ପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦୀର୍ଘ ୧୩୭ ଦିନର ବ୍ୟବଧାନ ପରେ ସୋମବାର ଦିନ ସଂସଦ ଭବନରେ ପହଞ୍ଚିଲେ ରାହୁଲ। ରାହୁଲ ଗାନ୍ଧୀ ସାଂସଦ ପଦ ଫେରିପାଇବା ପରେ ‘ଇଣ୍ଡିଆ’ ପକ୍ଷରୁ ହୋଇଥିଲା ଜୋରଦାର ସେଲିବ୍ରେସନ।

ରାହୁଲଙ୍କୁ ସ୍ଵାଗତ କରିଥିଲେ ଇଣ୍ଡିଆର ସାଂସଦମାନେ। ଏହା ପୂର୍ବରୁ ଖୁସିରେ କଂଗ୍ରେସ ନେତାମାନେ ଲଡ଼ୁ ବାଣ୍ଟିବା ସହ ରାହୁଲଙ୍କୁ ଖୁଆଇଥିଲେ। କେବଳ ସେତିକି ନୁହେଁ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ବାହାରେ ସମର୍ଥକମାନେ ବାଜା ବଜାଇ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଥିଲା।

‘ମୋଦୀ ସରନେମ’ ମାମଲାରେ ଜୁନ ୪ ତାରିଖ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଲୋକସଭା ସଦସ୍ୟତା ଫେରିପାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୁଇ ବର୍ଷର ସଜା ଶୁଣାଇବା ପରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି ହେବାର ୩ ଦିନ ପରେ ରାହୁଲ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି। ସୁରଟ ସେସନ୍ସ କୋର୍ଟଙ୍କ ଦୁଇବର୍ଷର ଜେଲ ଦଣ୍ଡକୁ ଗୁଜୁରାଟ ହାଇକୋର୍ଟ କାୟମ ରଖିବା ପରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ।

ଗତ ଅଗଷ୍ଟ ୪ ତାରିଖରେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ, “ମୋଦୀ ସରନେମ ମାମଲାରେ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ସର୍ବାଧିକ ଦଣ୍ଡାଦେଶ ଶୁଣାଇଛନ୍ତି। ସେନ୍ସ କୋର୍ଟ ଶୁଣାଇଥିବା ସଜା ଯଦି ୨ ବର୍ଷରୁ ଗୋଟିଏ ଦିନ କମ୍‌ ହୋଇଥାନ୍ତା, ତେବେ ସେ ଅଯୋଗ୍ୟ ଘୋଷିତ ହୋଇନଥାନ୍ତେ। ସୁରଟ କୋର୍ଟ ଏଠାରେ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ମଧ୍ୟ ଦର୍ଶାଇ ନାହାନ୍ତି। ତେଣୁ ଚୂଡ଼ାନ୍ତ ବିଚାର ହେବା ଯାଏଁ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିବ।”

ଟୁଇଟର ଅପଡେଟ କଲେ ରାହୁଲ

ରାହୁଲ ଗାନ୍ଧୀ ସାଂସଦ ପଦବୀ ଫେରିପାଇବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ପରେ ନିଜ ଟୁଇଟର ଆକାଉଣ୍ଟକୁ ଅପଡେଟ କରିଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ଆକାଣ୍ଟରେ ପୁଣି ଯୋଡ଼ି ହୋଇଛି ସାଂସଦ ପଦ। ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡାଦେଶ ଯୋଗୁଁ ରହୁଲଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ତାଙ୍କ ଆଉଣ୍ଟରୁ ସାଂସଦ ଶବ୍ଦକୁ ହଟାଇ ଦେଇଥିଲେ ରାହୁଲ।

ଲଡୁ ବାଣ୍ଟିଲେ କଂଗ୍ରେସ ନେତା

ରାହୁଲ ଗାନ୍ଧୀ ସାଂସଦ ପଦବୀ ଫେରିପାଇବା ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଲଡୁ ଖୁଆଇ ଖୁସି ମନାଇଥିଲେ। ଏହା ପରେ କଂଗ୍ରେସ ଅଧ୍ୟକ୍ଷ ଅନ୍ୟମାନଙ୍କୁ ମିଠା ଖୁଆଇଥିଲେ। ରହୁଲ ଗାନ୍ଧୀଙ୍କୁ ସଦସ୍ୟତା ଫେରାଇବା ନିଷ୍ପତ୍ତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ।

କିଏ କ’ଣ କହିଲେ?

ସଚିନ ପାଇଲଟ କହିଛନ୍ତି, ସତ୍ୟର ବିଜୟ ହେଲା। ରାହୁଲ ଗନ୍ଧୀ ସାଂସଦ ପଦବୀ ଫେରିପାଇବା ପରେ ଲୋକଙ୍କ ବିଶ୍ଵାସ ଆହୁରି ତାଙ୍କ ଉପରେ ବଢ଼ିବ ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ।

ଅଖିଳେଶ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକତନ୍ତ୍ର ଏବଂ ନ୍ୟାପାଳିକା ଉପରେ ବିଶ୍ଵାସ ଆହୁରି ବଢ଼ିଛି। ଡିମ୍ପଲ ଯାଦବ ମଧ୍ୟ ରାହୁଲଙ୍କୁ ସ୍ଵାଗତ କରିବା ସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି।

ରାହୁଲ ଗାନ୍ଧୀ ସାଂସଦ ପଦବୀ ଫେରିପାଇବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀ ସଂସଦ ଭବନରେ ପହଞ୍ଚିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଛିଡ଼ା ହୋଇ ପ୍ରଣାମ ଜଣାଇଥିଲେ।

କ’ଣ ଥିଲା ମାମଲା?

ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ହୋଇଥିବା ଏକ ରାଲିରେ ‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ଏହି ମାମଲାରେ ଚାରି ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଜା ଶୁଣାଇଥିଲେ।

ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ। ସୁରଟ କୋର୍ଟ ଶୁଣାଇଥିବା ଦୁଇ ବର୍ଷର ସଜା ଉପରେ ରୋକ ଲାଗାଇବାକୁ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ଜୁଲାଇ ୭ ତାରିଖରେ ରହୁଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଗୁଜରାଟ ହାଇକୋର୍ଟ।

ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଗତ ଜୁଲାଇ ୧୫ ତାରିଖରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଦୁଇ ବର୍ଷର ସଜା ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ।

ମୋଦୀ ସରନେମକୁ ନେଇ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଜା ଶୁଣାଇଥିଲେ।

ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡବିଧାନ କାରଣରୁ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। ଆଇନ ଅନୁଯାୟୀ ଯଦି ଜନପ୍ରତିନିଧିଙ୍କୁ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସଜା ହୋଇଥାଏ ତେବେ ସେମାନଙ୍କର ସଦସ୍ୟତା ରଦ୍ଦ ହେବ। ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେ ନାହିଁ।

ରାହୁଲ ଗାନ୍ଧୀଙ୍କ ପାଖରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିବାର ଏକ ମାତ୍ର ବିକଳ୍ପ ରହିଥିଲା, ଯାହା ତାଙ୍କୁ ଆଶ୍ଵସ୍ତ କରିଛି।

Tags: #Politics #SupremeCourt #IndianPolitics #RahulGandhi #MP

Comment