ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର କାମ ଆଉ ପାଦେ ଆଗେଇଛି। ରାଜଧାନୀରେ ମେଟ୍ରୋ ଚଳାଚଳ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ଯାଏଁ ଚାଲିବ। ଏଥିରେ ୨୦ଟି ଷ୍ଟେସନ ରହିବ।
ଡିପିଆର ଅନୁସାରେ ମେଟ୍ରୋ ଟ୍ରେନ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚାଲିବ। ସମ୍ପୂର୍ଣ୍ଣ ମେଟ୍ରୋ ରୁଟ ଏଲିଭେଟେଡ କରିଡର ଉପରେ ରହିବ।
ଭୁବନେଶ୍ୱର ମେଟ୍ରୋ ପାଇଁ ହେବାକୁ ଥିବା ଷ୍ଟେସନଗୁଡ଼ିକ ମଧ୍ୟ ଚୂଡ଼ାନ୍ତ ହୋଇଛି। ବିମାନ ବନ୍ଦର ଓ ତ୍ରିଶୁଳିଆ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ନନ୍ଦନକାନନ ଏବଂ ଫୁଲପୋଖରୀଠାରେ ମେଟ୍ରୋ ଷ୍ଟେସନ ନିର୍ମାଣ ହେବ।
ଭୁବନେଶ୍ଵର ମେଟ୍ରୋ ପାଇଁ ଡିପିଆର ପ୍ରସ୍ତୁତ କରିବା ଦାୟିତ୍ଵ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି)କୁ ଦିଆଯାଇଥିଲା। ଏଥିପାଇଁ ଡିଏମଆରସି ପକ୍ଷରୁ ଭୁବନେଶ୍ଵରରେ ଟ୍ରାଫିକ ସର୍ଭେ, ଟୋପାଗ୍ରାଫିକ୍ ସର୍ଭେ କରାଯାଇଥିଲା। ଏହାର ରିପୋର୍ଟକୁ ଆଧାର କରି ଡିପିଆର ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାର ‘ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ’ (ବିଏମଆରସି) ଗଠନ କରିଥିଲେ। ପୂର୍ବତଟ ରେଳପଥର ପୂର୍ବତନ ପ୍ରକଳ୍ପ ନିର୍ଦେଶକ ଶିବପ୍ରସାଦ ସାମନ୍ତରାୟଙ୍କୁ ବିଏମଆରସିର ସିଇଓ ନିଯୁକ୍ତ କରାଯାଇଥିଲା। ଚଳିତବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ଭୁବନେଶ୍ଵରରେ ମେଟ୍ରୋ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

Tags: #BhubaneswarMetroProject #MetroRail #DPR #DMRC #Bhubaneswar #Odisha


















