ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଅଭିଭାବକ ବିଦ୍ୟାଳୟ ବୈଠକକୁ ନଆସିବାରୁ ସ୍କୁଲ ଭିତରକୁ ଯିବାପାଇଁ ଛାତ୍ରଛାତ୍ରୀଙ୍କୁ ମିଳିଲାନି ଅନୁମତି। ଫଳରେ ବର୍ଷାରେ ଭିଜିବାକୁ ପଡ଼ିଥିଲା ଛାତ୍ରଛାତ୍ରୀଙ୍କୁ। ବୁଧବାର ଦିନ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବୌଦ୍ଧ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ। ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ। 
ବୁଧବାର ଦିନ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। କିନ୍ତୁ ବୈଠକରେ ବହୁତ କମ ସଂଖ୍ୟାରେ ଅଭିଭାବକ ଯୋଗ ଦେଇଥିଲେ। ଯେଉଁମାନଙ୍କ ଅଭିଭାବକ ବୈଠକରେ ଅନୁପସ୍ଥିତ ରହିଥିଲେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ଫଳରେ ବର୍ଷାରେ ବାହାରେ ଛିଡ଼ା ହୋଇଥିଲେ ଛାତ୍ରଛାତ୍ରୀ। ବର୍ଷା ହେବାରୁ ସେମାନେ ଏକ ଗଛମୂଳେ ଆଶ୍ରୟ ନେଇଥିଲେ।
ଅଭିଭାବକମାନେ ବିଦ୍ୟାଳୟକୁ ଆସିବା ସମୟରେ ଏହି ଦୃଶ୍ୟ ଦେଖିଥିଲେ। ପିଲାମାନେ ବିଦ୍ୟାଳୟ ବାହାରେ ଭିଜୁଥିବା ଦେଖି ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ଅଭିଭାବକ। ବୈଠକରେ ଯୋଗଦେବା ପାଇଁ ଖୁବ କମ୍ ସମୟରେ ସୂଚନା ଦିଆଯାଇଥିବାରୁ ଆସିବା ବିଳମ୍ବ ହୋଇଥିବା ଅଭିଭାବକମାନେ କହିଥିଲେ। ସେମାନେ ଏହି ଘଟଣାକୁ ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।
Tags: #ParentTeachersMeeting #School #Student #Punishment


















