ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଗୁରୁବାର ସକାଳେ ଶ୍ରୀମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ।

ସୋମବାର ସକାଳେ ନିର୍ମଳା ସୀତାରମଣ ସିଂହ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସିଂହ ଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭକୁ ପ୍ରଣାମ କରି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରର କୌଳିକ ପଣ୍ଡା ଅର୍ଥମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇଥିଲେ।

ନିର୍ମଳା ସୀତାରମଣ ଶ୍ରୀମନ୍ଦିରରେ ଦର୍ଶନ ସାରି ପୁରୀର ‘ବ୍ଲୁ ଫ୍ଲାଗ’ ବେଳାଭୂମିକୁ ଯାଇଥିଲେ। ସେଠାରେ ସେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ପରିଦର୍ଶନ କରିଥିଲେ। ‘ମୋ ମାଟି ମୋ ଦେଶ’ ଥିମ ଉପରେ ଏହିସବୁ ବାଲୁକା କଳାକୃତି ପ୍ରସ୍ତୁତ କରାଯାଇଛି।

ଏହାପରେ ଅର୍ଥମନ୍ତ୍ରୀ ପୁରୀର ପେଣ୍ଠକଟା ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାଇଥିଲେ। ସେଠାରେ ଆୟୋଜିତ ହେଉଥିବା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ବିଶ୍ୱବିଦ୍ୟାଳୟ ପରିସରରେ ସେ ବୃକ୍ଷରୋପଣ କରିଥିଲେ।

ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ବୀରହରେକୃଷ୍ଣପୁର ଯାଇ ମହାନ ସ୍ଵାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଛନ୍ତି ନିର୍ମଳା ସୀତାରମଣ। ସେଠାରେ ସେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପୁରୀ ଗସ୍ତ ବେଳେ ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପ‌ାତ୍ର ଡାକ୍ତର ସମ୍ବିତ ପାତ୍ର, ବହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ଗସ୍ତ ସାରି କେନ୍ଦ୍ର ଅର୍ଥମନ୍ତ୍ରୀ ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ଫେରିଆସିବେ। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ  କୁଇ ଓ ଦେଶୀୟ ଭାଷା ଉପରେ ଏକ ପୁସ୍ତକ ଉନ୍ମୋଚନ କରିବେ। ଅପରାହ୍ଣ ୫ଟା ବେଳେ ଅର୍ଥମନ୍ତ୍ରୀ ସୋଆ ବିଶ୍ୱବିଦ୍ୟାଳୟରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ଯୋଗ ଦେଇ ଏହାର ଉଦଘାଟନ କରିବେ। ଏହାପରେ ସେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ।

Tags: #NirmalaSitharaman #UnionFinanceMinister #Srimandir #Puri #OdishaVisit

 

LEAVE A REPLY

Please enter your comment!
Please enter your name here