ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଫେସର ଚିତ୍ତରଞ୍ଜନ ଦାସ ଏଭଳି ଜଣେ ବ୍ୟକ୍ତିତ୍ଵ ଥିଲେ ଯିଏ ପିଲାଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପର୍କ ଡୋରରେ ବାନ୍ଧି ରଖୁଥିଲେ।

ଜ୍ଞାନର ଭଣ୍ଡାର ଥିଲା ସ୍ଵର୍ଗତ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ପାଖରେ। ସେ ଥିଲେ ଜଣେ ପ୍ରାବନ୍ଧିକ, ଅନୁବାଦକ, ମନୋବିଜ୍ଞାନୀ, ସମାଜ ବିଜ୍ଞାନୀ, ସ୍ଵାଧୀନତା ସଂଗ୍ରାମୀ, ଦାର୍ଶନିକ ଏବଂ ଚିନ୍ତାନାୟକ। ସାହିତ୍ୟିକ ଚିତ୍ତରଞ୍ଜନ ଦାସ ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ, ଜୀବନୀ, ଆତ୍ମଜୀବନୀ, ଅନୁବାଦ, ଭ୍ରମଣ କାହାଣୀ, ରମ୍ୟ ରଚନା ଆଦିରେ ଅନେକ ନୂତନତା ସୃଷ୍ଟି କରିଯାଇଛନ୍ତି।

ସବୁ ବିଭାଗରେ ତାଙ୍କର ରହିଥିଲା ଗଭୀର ପ୍ରବେଶ। ସୃଜନ ପ୍ରବନ୍ଧକାର ହିସାବରେ ସେ ହେଉଛନ୍ତି ଅପ୍ରତିଦ୍ଵନ୍ଦ୍ଵୀ ସମ୍ରାଟ। ଅନେକ ଭାଷାରେ ଦକ୍ଷତା ଥିଲେ ମଧ୍ୟ ଓଡ଼ିଆ ଭାଷାରେ ଲେଖା ପାଇଁ ସେ ଥିଲେ ବ୍ୟାକୁଳ। ତାଙ୍କ ଭଳି ପ୍ରାଜ୍ଞ ପୁରୁଷ ଓଡ଼ିଶାରେ ବିରଳ ବୋଲି ଅନେକଙ୍କ ମତ। ଓଡ଼ିଶା ଇତିହାସରେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ପ୍ରବନ୍ଧ ସମ୍ରାଟ ବୋଲି ମଧ୍ୟ କୁହାଯାଏ। ଅତି ସାଧାରଣ ଭାବେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ଚିତ୍ତରଞ୍ଜନ ଦାସ।

ତାଙ୍କ ହୃଦୟରେ ସମସ୍ତଙ୍କ ପାଇଁ ଜାଗା ରହିଥିଲା। ନିକଟରୁ ଅନୁଭବ କରିଥିବା ପିଲାଠାରୁ ବୁଢ଼ା, ଛାତ୍ରଠୁ ଶିକ୍ଷକ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସେ ଥିଲେ ଅତି ଆପଣାର ଚିତ୍ତ ଭାଇ। ମଣିଷଙ୍କୁ ଭଲ ପାଇବା ପାଇଁ ତାଙ୍କ ପାଖରେ ରହିଥିବା ଅକୃତିମ ହୃଦୟ। ଗାଁରୁ ବିଶ୍ଵବିଦ୍ୟାଳୟ ସବୁକୁ ଆୟତ୍ତ କରିବା ଭଳି ତାଙ୍କର ବ୍ୟକ୍ତିତ୍ଵ ଥିଲା।

ଅବିଭକ୍ତ କଟକ ଜିଲ୍ଲାର ବାଗଲପୁର ଗାଁରେ ୧୯୨୩ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଚିତ୍ତରଞ୍ଜନ ଦାସ। ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ କଟକ ରାଣୀହାଟ ମାଇନର ସ୍କୁଲ ଏବଂ ରେଭେନ୍ସ କଲଜିଏଟ ସ୍କୁଲରେ ଅଧ୍ୟୟନ କରିଥିଲେ ସେ। ୧୯୩୯ ମସିହାରେ ଦଶମ ଶ୍ରେଣୀରେ ପାଠ ପଢ଼ିବା ସମୟରେ ଚିତ୍ତରଞ୍ଜନ ଦାସଙ୍କ ହୃଦୟରେ ସ୍ଵାଧୀନତା ସଂଗ୍ରାମୀର ଚେତନା ଜଳିଉଠିଥିଲା। ରେଭେନ୍ସା କଲେଜରେ ପାଠପଢ଼ୁଥିବାବେଳେ ସେ କମ୍ୟୁନିଷ୍ଟ ପାର୍ଟି ପାଇଁ ଗୋପନ ଭାବେ କାମ କରୁଥିଲେ। କଟକ ମେଡିକାଲ ସ୍କୁଲରୁ ଆରମ୍ଭ ହୋଇଥିବା ଛାତ୍ର ଧର୍ମଘଟ ଓ ସତ୍ୟାଗ୍ରହରେ ଯୋଗ ଦେଇଥିଲେ।

୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ରେଭେନ୍ସ ଛାଡ଼ି ଗାଁ ମୁହାଁ ହୋଇଥିଲେ ଚିତ୍ତରଞ୍ଜନ ଦାସ। ଭାରତୀ ମୁକ୍ତି ସଂଗ୍ରାମର ଜଣେ ସକ୍ରିୟ ସୈନିକ ଭାବେ ସେ କାରବରଣ କରିଥିଲେ।

୧୯୪୫ ମସିହାରେ ସେ ବିଶ୍ଵ କବି ରବୀନ୍ଦ୍ର ନାଥ ଟାଗୋରଙ୍କ ପ୍ରୟୋଗଶାଳା ଶାନ୍ତି ନିକେତନରେ ପ୍ରବେଶକରିବା ପରେ ତରୁଣ ବୟସରୁ ତାଙ୍କ ମନ ବିଶ୍ଵ ମୁଖି ହୋଇଯାଇଥିଲା। ପ୍ରଥମେ ମହାତ୍ମା ଗାନ୍ଧୀ ଏବଂ ପରେ ରବୀନ୍ଦ୍ର ନାଥ ଟାଗୋରଙ୍କ ଜୀବନ ଓ ଦର୍ଶନରେ ପ୍ରଭାବିତ ହୋଇଥିଲେ ସେ।

ଶାନ୍ତିନିକେତନରୁ ଡେନମାର୍କର କୋପେନ ହାଗେନ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ସେ। ସେଠାରେ ରହଣି ସମୟରେ ସେ ସମଗ୍ର ବିଶ୍ଵ ବୁଲିବାର ସୁଯୋଗ ପାଇଥିଲେ। ଏହି ସମୟରେ ସେ ବିଶ୍ଵ ଜୀବନ, ଦର୍ଶନ ଏବଂ ସଂସ୍କୃତିକୁ ଅତି ପାଖରୁ ଅନୁଭବ କରିଥିଲେ।

ସବୁ ଜ୍ଞାନ, ଅଭିଜ୍ଞତା ଓ ସ୍ଵପ୍ନକୁ ମାପଚୁପ କରି ଶେଷରେ ଶିକ୍ଷାଦାନକୁ ନିଜର ବ୍ରତ ଭାବେ ବାଛି ନେଇଥିଲେ। ଓଡ଼ିଶା ଫେରି ଅନୁଗୁଳଠାରେ ତିଆରି କରିଥିଲେ ନିଜର ପ୍ରଥମ ପ୍ରୟୋଗଶାଳା ‘ଜୀବନ ବିଦ୍ୟାଳୟ’। ତାଙ୍କର ସ୍ଵପ୍ନ ଓ ଦକ୍ଷତାକୁ ଦେଖି ଏହି ନୂତନ ପ୍ରୟୋଗଶାଳାକୁ ସାକାର ରୂପ ଦେବାରେ ସାହାଯ୍ୟ କରିଥିଲେ ନବକୃଷ୍ଣ ଗୌଧୁରୀ ଓ ମାଳତୀ ଦେବୀ।

ଜୀବନ ବିଦ୍ୟାଳୟରେ କିଛି ବର୍ଷ ପରୀକ୍ଷା ନିରୀକ୍ଷା କରିବା ପରେ ସେ ଦେଶ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା ପାଇଁ ଆଗେଇ ଯାଇଥିଲେ। ଶିକ୍ଷକ ଓ ଦାର୍ଶନିକ ଚିତ୍ତରଞ୍ଜନ ଦାସଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା ଭାରତୀୟ ମହାଋଷି ଶ୍ରୀ ଅରବିନ୍ଦଙ୍କ ଜୀବନ ଓ ଦର୍ଶନ। ଶ୍ରୀ ମା’ ଏବଂ ଶ୍ରୀ ଅରବିନ୍ଦଙ୍କ ସୃଷ୍ଟିର ଅନୁବାଦ କରୁକରୁ ସେ ପାଲଟିଗଲେ ଏହି ମହାଭାରତୀୟ ଦର୍ଶନ ଧାରାର ଜଣେ ପ୍ରାଜ୍ଞ ପ୍ରଚାରକ। ଶ୍ରୀମା’ ଓ ଶ୍ରୀ ଅରବିନ୍ଦଙ୍କ ଆଦର୍ଶକୁ ଧରି ସେ ପାଲଟି ଗଲେ ଜଣେ ଭିନ୍ନ ମଣିଷ।

ସ୍ଵର୍ଗତ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ନାଁ ସହ ଯୋଡ଼ି ହୋଇଯାଇଛି ପୁରସ୍କାର ଓ ସମ୍ମାନର ଲମ୍ବା ତାଲିକା। ୧୦୬୧ ମସିହାରେ ‘ଜୀବନ ବିଦ୍ୟାଳୟ’ ପାଇଁ ତାଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮ରେ ‘ବିଶ୍ଵକୁ ଗବାକ୍ଷ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ୧୯୮୯ରେ ‘ଓଡ଼ିଶା ଓ ଓଡ଼ିଆ’ ପାଇଁ ଶାରଳା ପୁରସ୍କାର, ୧୯୯୮ରେ ବିଷୁବ ପୁରସ୍କାର, ୨୦୦୦ ମସିହାରେ ମର୍ଯ୍ୟାଦା ଜନକ ସାହିତ୍ୟ ଭାରତୀ ସମ୍ମାନ ଏବଂ ୨୦୦୨ ମସିହାରେ ଉତ୍କଳ ସମାଜ ପକ୍ଷରୁ ଉତ୍କଳ ରତ୍ନ ସମ୍ମାନ। ରେଭେନ୍ସ ବିଶ୍ଵ ବିଦ୍ୟାଳୟ ତାଙ୍କୁ ସମ୍ମାନ ଜନକ ଡି’ଲିଟ୍ ପ୍ରଦାନ କରିଛି। କେବଳ ରାଜ୍ୟ ନୁହେଁ ଦେଶ ବିଦେଶର ବହୁ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ଗତ ୨୦୧୧ ମସିହା ଜାନୁଆରି ୧୬ ତାରିଖରେ ଚିରନିଦ୍ରାରେ ଶୋଇଯାଇଥିଲେ ପ୍ରଫେସର ଚିତ୍ତରଞ୍ଜନ ଦାସ।

Tags: #ProfChittaranjanDas #Writer #Critic #Educationist #Psychologist #Philosopher #Chittabhai

LEAVE A REPLY

Please enter your comment!
Please enter your name here