ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଆଥଲେଟ କିଶୋର ଜେନା। ଏହି ଉତ୍ତମ ପ୍ରଦର୍ଶନ ଲାଗି ସୋମବାର ଓଡ଼ିଶା ସରକାର କିଶୋରଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ସେ ରାଜ୍ୟର ପ୍ରଥମ ଖେଳାଳି ଭାବେ ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଜାଭେଲିନ ଥ୍ରୋ ଇଭେଣ୍ଟରେ ସେ ପଞ୍ଚମ ସ୍ଥାନରେ ରହିଥିଲେ।

କିଶୋର ଜେନା ରବିବାର ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ ଜାଭେଲିନ ଥ୍ରୋ ଫାଇନାଲରେ ପଦକ ହାସଲ କରିପାରିନଥିଲେ ମଧ୍ୟ ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୮୪.୭୭ ମିଟର ଜାଭେଲିନ ଫିଙ୍ଗି ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

“ବୁଡାପେଷ୍ଟରେ ହୋଇଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ କିଶୋର ଜେନାଙ୍କ ଭାଗ ନେବା ଓଡ଼ିଶାର କ୍ରୀଡ଼ା ପାଇଁ ଏକ ଐତିହାସିକ ସଫଳତା। ଟୁର୍ଣ୍ଣାମେଣ୍ଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବର କଥା। କିଶୋରଙ୍କ ଉଲ୍ଲେଖନୀୟ ଯାତ୍ରା ଅନ୍ୟ ଆଥଲେଟମାନଙ୍କ ପାଇଁ ପ୍ରେରଣା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାର ପୁରୀ ଜିଲ୍ଲା ବ୍ରହ୍ମଗିରିର କିଶୋର ଜେନା ଭାରତର ଉଦୀୟମାନ ଜାଭେଲିନ ଥ୍ରୋ ଖେଳାଳି। ଏହାପୂର୍ବରୁ ସେ ଲେବନାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ଆଥଲେଟିକସ ଚାମ୍ପିୟନସିପରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଏହାସହ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତି ଚଳିତବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

୨୦୨୩ ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ ଥ୍ରୋ ଫାଇନାଲକୁ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଖେଳାଳି ନୀରଜ ଚୋପ୍ରା, କିଶୋର ଜେନା ଏବଂ ଡିପି ମନୁ ଯୋଗ୍ୟତା ଅର୍ଜନ କରିଥିଲେ। ଏଠାରେ ନୀରଜ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କିଶୋର ଓ ଡିପି ମନୁ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିଲେ।

ଏହି ଇଭେଣ୍ଟରେ ୮୮.୧୭ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ହାତେଇଥିଲେ। ସେହିପରି ପାକିସ୍ତାନର ଅର୍ଶଦ ନଦୀମ ୮୭.୮୨ ମିଟର ସହ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଥିଲେ।

Tags: #WorldAthleticsChampionship #KishoreJena #JavelinThrow #Athletics #Sports #Odisha

 

Comment